(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ରାଜ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ସୋମବାର ଦିନ ତମାମ ଲାଗି ରହିଥିବା ବେଳେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । କିଛିଦିନ ଧରି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ଠାରୁ ଜଳସ୍ତର କମ୍ ଥିଲା। କିନ୍ତୁ ରବିବାର ଦିନ ସଂଧ୍ୟା ୬ଟା ସୁଦ୍ଧା ଏହା ୬୨୫.୧୦ ଫୁଟ୍ରେ ପହଞ୍ଚିଛି।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରରେ ୨୪ ଘଣ୍ଟା ଧରି ହାରାହାରି ୮୦ ହଜାର କ୍ୟୁସେକ୍ ପାଣି ଗଚ୍ଛିତ ହେଲେ (ଛଡ଼ା ଯାଉଥିବା ପାଣିକୁ ବାଦ ଦେଇ) ଜଳସ୍ତର ୧ ଫୁଟ୍ ବୃଦ୍ଧି ପାଇଥାଏ।
ତେଣୁ ବର୍ତ୍ତମାନ ପ୍ରବେଶ କରୁଥିବା ଜଳର ପରିମାଣ ୨୪ ଘଣ୍ଟା ଯାଏ ସମାନ ରହିଲେ ବା ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଲେ ହୀରାକୁଦ ଜଳସ୍ତର ମଙ୍ଗଳବାର ସଂଧ୍ୟା ସୁଦ୍ଧା ୬୨୭ ଫୁଟ୍ ପାଖାପାଖି ପହଞ୍ଚିବା ନେଇ ଆକଳନ କରାଯାଉଛି।
ତେବେ ଆକଳନ କରାଯାଉଛି ଯେ ସେପ୍ଟେମ୍ବର ୧୧ ସୁଦ୍ଧା ଜଳସ୍ତର ୬୨୪ରୁ ୬୨୯ ଫୁଟ୍ ମଧ୍ୟରେ ଏବଂ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୫ ଫୁଟ୍ରୁ ୬୩୦ ଫୁଟ୍ ମଧ୍ୟରେ ଅକ୍ଟୋବର ପହିଲା ସୁଦ୍ଧା ସର୍ବାଧିକ ୬୩୦ ଫୁଟ୍ ରଖାଯାଇ ପାରିବ ବୋଲି ଅନୁମାନ କରାଯାଇଛି । ତେବେ ପୂର୍ବର ରୁଲ୍ କଭର ଅନୁସାରେ ସେପ୍ଟେମ୍ବର ୧୫ ସୁଦ୍ଧା ଜଳସ୍ତର ୬୨୭.୮୦ ଫୁଟ୍ ରହିବା କଥା। ସେପ୍ଟେମ୍ବର ୧୫ ବେଳକୁ ଜଳଭଣ୍ଡାର ଏହି ସ୍ତରରେ ପହଞ୍ଚି ଯାଇଥିବ ଏବଂ ଜଳପ୍ରବେଶ ବୃଦ୍ଧି ପାଇଲେ ଗେଟ୍ ମଧ୍ୟ ଖୋଲା ଯାଇପାରେ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ୧୭ରୁ ପୁଣି ଥରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ୧୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୧୮ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ଥରେ ବର୍ଷା ଜାରି ରହିବ ବୋଲି ଜଣାପଡ଼ିଛି ।