ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ରାଜ୍ୟମାନଙ୍କର ସ୍ୱାକ୍ଷରତା ହାର । ୨୮ତମ ସ୍ଥାନରେ ରହିଛି ଓଡ଼ିଶା । ତେବେ ଗୋଆ, ହିମାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ ୯୯%ରୁ ଊର୍ଦ୍ଧ୍ୱ ସାକ୍ଷରତା ହାର ରହିଥିବାବେଳେ ଓଡ଼ିଶାର ସାକ୍ଷରତା ହାର ୭୯ ପ୍ରତିଶତରେ ରହିଛି। ସବୁଠାରୁ ପଛରେ ରହିଛି ଆନ୍ଧ୍ରପ୍ରଦେଶ ଓ ବିହାର। ଆନ୍ଧ୍ରପ୍ରଦେଶରେ ୭୨.୬% ଏବଂ ବିହାରରେ ସାକ୍ଷରତା ହାର ୭୪.୩ ପ୍ରତିଶତ ରହିଛି। ସେହିପରି ମଧ୍ୟପ୍ରଦେଶରେ ସାକ୍ଷରତା ହାର ୭୫.୨% ରହିଥିବାବେଳେ ରାଜସ୍ଥାନ ୭୫.୮, ତେଲଙ୍ଗାନା ୭୬.୯, ଛତିଶଗଡ଼ ୭୮.୫, ଝାଡ଼ଖଣ୍ଡ ୭୬.୭ ଏବଂ ଉତ୍ତର ପ୍ରଦେଶରେ ୭୮.୨% ସାକ୍ଷରତା ହାର ରହିଛି। ସେପଟେ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସର୍ବାଧିକ ସାକ୍ଷରତା ହାର ୯୯.୯% ରହିଥିବା ବେଳେ ଗୋଆ ୯୯.୭%, ହିମାଚଳ ପ୍ରଦେଶ ୯୯%, ଆଣ୍ଡାମାନ ଓ ନାଗାଲ୍ୟାଣ୍ଡ୍‌ ୯୯%, ଲକ୍ଷାଦ୍ୱୀପ ୯୭.୩%, ଲଦାଖ ୯୭%, ନାଗାଲାଣ୍ଡ ୯୫.୭%, ମଣିପୁର ୯୨%, ତ୍ରିପୁରା ୯୫.୬%, ମିଜୋରାମ ୯୮.୨%, କେରଳ ୯୫.୩ % ଓ ପଣ୍ଡିଚେରୀର ୯୨.୭% ସାକ୍ଷରିତ ହାର ରହିଛି।

ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, ଭାରତ ସମ୍ପ୍ରତି ଜନଭାଗିଦାରୀ, ସ୍ବେଚ୍ଛାକୃତସେବା ଏବଂ କର୍ତ୍ତବ୍ୟବୋଧର ପ୍ରେରଣାରେ ସମ୍ପୂର୍ଣ୍ଣ ସାକ୍ଷର ଲକ୍ଷ୍ୟରେ ଅଗ୍ରସର ହେଉଛି। ଏପର୍ଯ୍ୟନ୍ତ ସାତଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ସାକ୍ଷର ଘୋଷଣା କରିଥିବା ବେଳେ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ଲକ୍ଷ୍ୟ ପାଇଁ ଦୃଢ଼ ଭାବେ ଅଗ୍ରସର ହେଉଛନ୍ତି। ଭାରତ ଏକ ସଶକ୍ତ, ସମାବେଶୀ ଏବଂ ଜ୍ଞାନଭିତ୍ତିକ ସମାଜ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି।