ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଏଣିକି ଅଧିକ ଦିନ ଲିଭ୍‌ ଇନରେ ରହିବା ତାହା ବିବାହ ସହ ସମାନ । ତେବେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଧରାଯିବ ଏବଂ ସେମାନଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଭାଗରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେପଟେ ନିକଟରେ ବିବାହ ନକରି ଦୀର୍ଘ ଦିନ ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଇ କହିଥିଲେ।

ଏହାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ କହିଛନ୍ତି, ଯଦି ଜଣେ ପୁରୁଷ ଏବଂ ମହିଳା ଦୀର୍ଘ ଦିନ ଧରି ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହନ୍ତି। ତେବେ ଏହାକୁ ବିବାହ ଭଳି ବିବେଚନା କରାଯିବ। ଆଇନର ଧାରା ୧୧୪ ଅନୁଯାୟୀ ଏଭଳି ସୂଚନା ଦିଆଯାଇପାରିବ। ଅନ୍ୟପଟେ ୨୦୦୯ରେ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।