ପୁରୀ : ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳ । ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି। ରଥାରୁଢ଼ ଶ୍ରୀଜିଉ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବା ପରେ ଶନିବାର ସନ୍ଧ୍ୟାରେ ଝିପି ଝିପ ବର୍ଷାରେ ଗୋଟି ପହଣ୍ଡିରେ ଜନ୍ମବେଦିରେ ଅଧିଷ୍ଠିତ ହୋଇଛନ୍ତି। ଘଣ୍ଟଘଣ୍ଟା ସାଙ୍ଗକୁ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି।

ଅନ୍ୟପଟେ ରବିବାରଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ବି ପାଇପାରିବେ। ୬ ଦିନ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ପ୍ରତିବର୍ଷ ଭଳି ରବିବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବ। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥାନ୍ତି, ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଯାହା ମାଗେ, ତାହା ମିଳେ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡପ ଦର୍ଶନ ପାଇଁ କାହିଁ କେତେଦୂରରୁ ଦୌଡ଼ି ଆସନ୍ତି। ଦୁଇବର୍ଷ ଧରି ଆଡ଼ପ ଦର୍ଶନରୁ ବଞ୍ଚିତ ଥିବାରୁ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ରହିବା ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଆଜି (ରବିବାର) ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସମ୍ପନ୍ନ ହେବ। ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ୭ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ରୁ ୧୨ଟା ମଧ୍ୟରେ ସକାଳଧୂପ, ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଭୋଗମଣ୍ଡପ, ଗୋଟାଏ ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ଓ ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ରାତି ୭ଟାରୁ ୮ଟା ମଇଲମ ଓ ବେଶ, ସାଢ଼େ ୮ଟାରେ ସଂଧ୍ୟା ଆଳତି, ୯ଟାରୁ ସାଢ଼େ ୧୦ଟା ସଂଧ୍ୟାଧୂପ, ୧୧ଟାରୁ ସାଢ଼େ ୧୧ଟା ମଇଲମ ଓ ଚନ୍ଦନଲାଗି, ସାଢ଼େ ୧୨ଟାରେ ବଡ଼ସିଂହାର ବେଶ, ଗୋଟାଏରେ ବଡ଼ସିଂହାର ଭୋଗ ସମ୍ପନ୍ନ ପରେ ରାତି ସାଢ଼େ ଗୋଟାଏରେ ପହୁଡ଼ ହେବ। ପରେ ଜୁଲାଇ ୫ ତାରିଖରେ ହେରାପଞ୍ଚମୀ ନୀତି, ୬ ତାରିଖରେ ରଥ ଦକ୍ଷିଣ‌ମୋଡ଼, ୮ ତାରିଖରେ ସଂଧ୍ୟା ଦର୍ଶନ, ୯ ତାରିଖରେ ବାହୁଡ଼ାଯାତ୍ରା, ୧୦ ତାରିଖରେ ସୁନାବେଶ, ୧୧ ତାରିଖରେ ଅଧର ନୀତି ଓ ୧୨ ତାରିଖରେ ନୀଳାଦ୍ରି ବିଜେ ନୀତି ସହ ଶ୍ରୀଜିଉ ରତ୍ନ ସିଂହାସନକୁ ବିଜେ କରିବେ ।