ଇଡି ପଞ୍ଝାରେ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ଅନିଲ ପରବ୍‌

ମୁମ୍ବାଇ: ଇଡି ପଞ୍ଝାରେ ଆଉ ଜଣେ ମନ୍ତ୍ରୀ | ମନି ଲଣ୍ଡରିଂ ମାମଲାରେ ଅତର୍କିତ ଚଢ଼ାଉ କଲା ଇଡି | ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପରବ୍‌ଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି।

ମୁମ୍ବାଇ ଓ ପୁଣେ ସ୍ଥିତ ତାଙ୍କର ୭ଟି ଠିକଣା ଉପରେ ଇଡି ରେଡ୍‌ କରିଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଛି। ପୁଣେ, ମୁମ୍ବାଇ ଓ ଦାପୋଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍‌ କରିଛି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅମରାବତୀ ସାଂସଦ ନବନୀତ ରାଣା ମୁମ୍ବାଇର ପୁଲିସ କମିଶନର ସଞ୍ଜୟ ପାଣ୍ଡେ ଓ ଶିବସେନା ନେତା ଅନିଲ ପରବଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କରିଥିଲେ। ଗିରଫ ସମୟରେ ମୁମ୍ବାଇ ପୁଲିସ ତାଙ୍କ ସହ ଅସଦାଚରଣ କରିଥିବା ନବନୀତ ରାଣା ଅଭିଯୋଗ ଆଣିଥିଲେ।

ନବନୀତ୍ ରାଣାଙ୍କ ଅନୁଯାୟୀ ତାଙ୍କ ଅଭିଯୋଗ ସିବିଆଇ ଗ୍ରହଣ କରିଛି। ତାଙ୍କୁ ବେଆଇନ ଭାବେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଅମାନୁଷିକ ଭାବେ ବ୍ୟବହାର କରାଯାଇଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ନବନୀତ୍ ରାଣାଙ୍କ ଅଭିଯୋଗ ଉପରେ ଲୋକସଭାର ଅଧିକାର କମିଟି ତାଙ୍କୁ ହାଜର ହେବାକୁ ଡାକିଥିଲା।

Related Posts