ଗୌହାଟୀ: ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ମହାନାଟକ । ଶାସକ ଓ ବିଦ୍ରୋହୀ ଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ, ଆଜି ମାତା କାମାକ୍ଷା ଦେବୀଙ୍କ ପୂଜାର୍ଚ୍ଚନା କରିବା ଲାଗି ‘ରେଡିସନ୍‌ ବ୍ଲୁ ହୋଟେଲ୍‌’ରୁ ବ‌ାହାରି ବିଦ୍ରୋହୀ ବିଧାୟକ ଏକାନଥ ସିନ୍ଦେ ଗ‌ୌହାଟୀରେ ଅବସ୍ଥିତ ପ୍ରସିଦ୍ଧ କାମାକ୍ଷା ମନ୍ଦିରକୁ ଯାଇଥିଲେ। ଗୌହାଟୀରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ଏକନାଥ ହୋଟେଲ୍‌ରୁ ବାହାରକୁ ଆସିଛନ୍ତି ।

ଆଜି ମଧ୍ୟାହ୍ନରେ ବାକି ବିଧାୟକମାନେ ଦର୍ଶନ ପାଇଁ କାମାକ୍ଷା ମନ୍ଦିରକୁ ଯାଇପାରନ୍ତି। ସିନ୍ଦେଙ୍କ ସହିତ ଆଉ ୪ଜଣ ବିଦ୍ରୋହୀ ବିଧାୟକ ମଧ୍ୟ ପ୍ରଥମ ଥର ପାଇଁ ହୋଟେଲ୍‌ରୁ ବାହାରକୁ ଆସିଥିବା ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁସାରେ, କେତେକ ବିଦ୍ରୋହୀ ବିଧାୟକଙ୍କ ସହିତ ମିଶି ସିନ୍ଦେ ଆଗାମୀକାଲି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିପାରନ୍ତି।

ମାତା କାମାକ୍ଷାଙ୍କୁ ଦର୍ଶନ କରି ମନ୍ଦିରରୁ ଫେରିବା ପରେ ସିନ୍ଦେ କହିଛନ୍ତି, ମାହରାଷ୍ଟ୍ର ଓ ମହାରାଷ୍ଟ୍ରବାସୀଙ୍କର ଶାନ୍ତି, ସମୃଦ୍ଧି କାମନା କରି ଆଜି ମୁଁ ମା କାମାକ୍ଷା ଦେବୀଙ୍କ ଦର୍ଶନ କଲି। ବିଧାନସଭା ପାଇଁ ଆବଶ୍ୟକ ପ୍ରକ୍ରିୟାର ଅଗ୍ରଗତି ନିମନ୍ତେ ଆଗାମୀକାଲି ଆମେ ମୁମ୍ବାଇରେ ପହଞ୍ଚିବୁ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ଲାଗି ‘ଫ୍ଲୋର୍‌ ଟେଷ୍ଟ୍‌’ ବା ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖି ଜଣାଇଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ‘ଫ୍ଲୋର୍‌ ଟେଷ୍ଟ୍‌’ ଶେଷ ହେବା ଉଚିତ ବୋଲି ମଧ୍ୟ ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।