ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ ?, କିଏ ସବୁଠାରୁ ଗରିବ ?, କାହାର ଶିକ୍ଷାଗତ ଯୋଗ୍ୟତା ସବୁଠୁ ଅଧିକ ?

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ ? କିଏ ସବୁଠାରୁ ଗରିବ ? କେଉଁ ମୁଖ୍ୟମନ୍ତ୍ରୀଙ୍କର ରହିଛି କେତେ ସମ୍ପତି ? କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ? ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ରହିଥିବ । ତେବେ ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀ ମାନେ ଦେଇଥିବା ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି ।

ଏହି ତାଲିକା ଅନୁସାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସମ୍ପତ୍ତିର ମୂଲ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ କମ ରହିଛି।

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ?

ରିପୋର୍ଟରୁ ଜଣାଯାଇଛି ଯେ, ଜଗନ ରେଡ୍ଡିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୭୦ କୋଟି ଯାହାକି ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ । ସେହିପରି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୩୨ କୋଟି ସେ ହେଉଛନ୍ତି ଦ୍ଵିତୀୟ ଧନୀ ମୁଖ୍ୟମନ୍ତ୍ରୀ । ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୧୦୦ କୋଟି ପାର ହୋଇନାହିଁ । ତେବେ ତାଲିକା ଅନୁସାରେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କର ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଥିବା ଜଣାଯାଇଛି । ଏକ କୋଟି ତଳେ ଥିବା ଅନ୍ୟତମ ୨ ମୁଖ୍ୟମନ୍ତ୍ରୀ ହେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପିନାରାଇ ଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୭୩ ଲକ୍ଷ ଥିବାବେଳେ ନୀତିଶଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୫୬ ଲକ୍ଷ ।

ଅନ୍ୟପଟେ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି ୬୩.୭୨ କୋଟିର ସମ୍ପତ୍ତି । ଅନ୍ୟମାନଙ୍କ ମଧ୍ୟରେ ଆାସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମ୍ପତ୍ତି ତାଲିକା ୧.୦୪ କୋଟି ଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମ୍ପତ୍ତି ରହିଛି ୧୫.୧୮ କୋଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପତି ୨.୭୬ କୋଟି ଥିବାବେଳେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସମ୍ପତ୍ତି ମୂଲ୍ୟ ରହିଛି ୫.୬୯ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସମ୍ପତ୍ତି ମୂଲ୍ୟ ୪.୦୩ କୋଟି । ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଖରେ ୧.୨୭ କୋଟିର ସମ୍ପତ୍ତି ଥିବାବେଳେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପାଖରେ ରହିଛି ୫.୨୪ କୋଟି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କର ୧.୩୫ କୋଟି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ୨.୬୩ କୋଟି, ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୧.୦୭ କୋଟି, ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨ କୋଟିର ସମ୍ପତ୍ତି ରହିଛି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୮. ୨୪ କୋଟି, ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୭.୨୪ କୋଟି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୩.୭୨ କୋଟି ଓ ତ୍ରିୁପୁରା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୧.୨୮ କୋଟି ।

ସବୁଠୁ ପାଠୁଆ ମୁଖ୍ୟମନ୍ତ୍ରୀ କିଏ ?

ତେବେ କେବଳ ସେତିକି ନୁହେଁ, ଏହି ତାଲିକାରୁ ଜଣାଯାଇଛି ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେହିଭଳି ପୂର୍ବରୁ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ହେଉଛନ୍ତି ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ।

ବନ୍ଧୁକ ରଖିଥିବା ମୁଖ୍ୟମନ୍ତ୍ରୀ:-

ସେହିଭଳି ଏହି ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶର ୮ ଜଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ଲାଇସେନ୍ସପ୍ରାପ୍ତ ବନ୍ଧୁକ । ସେମାନେ ହେଲେ: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡର ହେମନ୍ତ ସୋରେନ, ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମି, ମଣିପୁରର ଏନ. ବୀରେନ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ୍ ମାନ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

Related Posts