ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ ଦେଶର ପାଞ୍ଚଟି ରାଜ୍ୟର ୬ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରଲୋକ କାରଣରୁ ଖାଲି ହୋଇଥିବା ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ଓ ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଛି। ଏହାଛଡା ୟୁପିରେ ରାମପୁର ସଦର ଓ ଖତୌଲି, ଓଡିଶାର ପଦ୍ମପୁର, ରାଜସ୍ଥାନରେ ସରଦାରସହର, ବିହାରରେ କୁଡନୀ ଓ ଛତିଶଗଡରେ ଭାନୁପ୍ରତାପପୁର ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି। ଏହି ଉପ-ନିର୍ବାଚନ ଗୁଡ଼ିକର ଫଳାଫଳ ୮ ଡିସେମ୍ବରରେ ପ୍ରକାଶ ପାଇବ।
ତେବେ ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଉପନିର୍ବାଚନ ପାଇଁ ଅଖିଳେଶ ଯାଦବ ସୈଫେଇରେ ଭୋଟ ଦେଇଛନ୍ତି। ଏଠାରେ ଦିବଂଗତ ମୁଲାୟମ ସିଂଙ୍କ ବୋହୂ ତଥା ଅଖିଳେଶଙ୍କ ପତ୍ନୀ ସମାଜବାଦୀ ପାର୍ଟିର ପ୍ରାର୍ଥୀ ରହିଛନ୍ତି। ତେବେ ଭୋଟ ଦାନ ପରେ ଅଖିଳେଶ ଓ ଡିମ୍ପଲ ଉଭୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ପୋଲିସର ଚେଷ୍ଟା ଏହା ରହିଛି ଯେ, ସମାଜବାଦୀ ପାର୍ଟି ପକ୍ଷରେ କୌଣସି ଭୋଟ ନପଡୁ। ରାମପୁରରେ ମଧ୍ୟ ଏଭଳି ସ୍ଥିତି ରହିଛି, ସେଠାରେ ମଧ୍ୟ ଚେଷ୍ଟା କରାଯାଉଛି ଯେ, ସମାଜବାଦୀ ପାର୍ଟିକୁ ଭୋଟ ଦିଆନଯାଉ। ରାମପୁରରେ କେଉଁଠି ବି ଲୋକଙ୍କୁ ବାହାରିବାକୁ ଦିଆଯାଉନି, ପୋଲିସ ଲୋକଙ୍କୁ ପୋଲିସ ଚେକ୍ କରୁଛି। ଯାହାଙ୍କ ପାଖରେ ଆଇଡି ରହିଛି, ତାଙ୍କୁ ମଧ୍ୟ ଫେରାଇ ଦିଆଯାଉଛି। ଜିଲ୍ଲାପାଳଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି ବୋଲି ଅଖିଳେଶ ଓ ଡିମ୍ପଲ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମୈନପୁର ନେତାଜୀ(ମୁଲାୟମ ସିଂ ଯାଦବଙ୍କ) ମାଟି। ଏଠାରେ ସମାଜବାଦୀ ପାର୍ଟିକୁ କେହି ରୋକିପାରିବନି। ବହୁ ପାରିମାଣରେ ଲୋକମାନେ ସପାଜବାଦୀ ପାର୍ଟିକୁ ଭୋଟ ଦେଉଛନ୍ତି। ମୈନପୁରୀରେ ନେତାଜୀଙ୍କ ପ୍ରତି ଯେଉଁ ସମ୍ମାନ ରହିଛି, ତେଣୁ ଗୋଟିଏ ଗୋଟିଏ ଭୋଟ ସମାଜବାଦୀ ପାର୍ଟିକୁ ଦିଆଯାଉଛି, ସେଥିପାଇଁ ବିଜେପି ଚିନ୍ତାରେ ଅଛି ବୋଲି ଅଖିଳେଶ କହିଛନ୍ତି। ଅନ୍ୟପକ୍ଷେ ବିଜେପି ନେତା ସମାଜବାଦୀ ପାର୍ଟି ନିର୍ବାଚନରେ ଅରାଜକତା ସୃଷ୍ଟି କରୁଥିବା ନେଇ ଅଭିଯୋଗ କରିଛି।
