ଶ୍ରୀମନ୍ଦିରର ବେହରଣ ଦ୍ୱାରବନ୍ଧର ହେବ ରୁପା ଛାଉଣୀ, ଖର୍ଚ୍ଚ ହେବ ୩ କୋଟି ୭୩ ଲକ୍ଷ ଟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସମ୍ମୁଖ ମୁଖ୍ୟ ମନ୍ଦିର ବେହରଣ ଦ୍ୱାରର ଦୁଆର ବନ୍ଧ (ଖିଲଣ)ରେ ରୁପା ଛାଉଣି କରାଯିବ । ଏହି ଦ୍ୱାରବନ୍ଧରେ ରୁପା ଚାଦର ବିଛାଇବାକୁ ଖର୍ଚ୍ଚ ଅଟକଳ ହୋଇଛି ୩ କୋଟି ୭୩ ଲକ୍ଷ ଟଙ୍କା । ଏହି ଟଙ୍କା ପଶ୍ଚିମ ବଙ୍ଗର ଜଣେ ଦାତା ଦେବାକୁ କହିଛନ୍ତି । ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ଏହା ପୂର୍ବରୁ ବେହରଣ ଦ୍ୱାରରେ ରୁପା ଛାଉଣି ପଡ଼ି ସାରିଛି । ଦ୍ୱାରବନ୍ଧରେ ରୁପା ଚାଦର ପଡ଼ିଲେ ଏହି ଦ୍ୱାରର ସମ୍ପୂର୍ଣ୍ଣ ରୁପା ଛାଉଣି ହୋଇ ପାରିବ ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିରର ଦକ୍ଷିଣି ଘର, ବାହାର ରତ୍ନଭଣ୍ଡାର, ସରସ୍ୱତୀ ମନ୍ଦିର, ମୁକ୍ତି ମଣ୍ଡପ ନିକଟ ସୂର୍ଯ୍ୟ ମନ୍ଦିର ଗୁମୁଟ ଓ ଦ୍ୱାର, ମୁକ୍ତି ମଣ୍ଡପ ନିକଟ ସର୍ବମଙ୍ଗଳାଙ୍କ ମନ୍ଦିର ଦ୍ୱାରରେ ବି ରୁପା ଛାଉଣି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏହି ସବୁ ଦ୍ୱାରର ଡିଜାଇନ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଆବଶ୍ୟକ ରୁପା ବି ଯୋଗାଡ଼ ସରିଛି । ଦାନ ରୁପା ଏବଂ ଶ୍ରୀମନ୍ଦିରରେ ଗଚ୍ଛିତ ରୁପାକୁ ଏହି ସବୁ ଦ୍ୱାର ରୁପା ଛାଉଣିରେ ବିନିଯୋଗ କରାଯିବ ବୋଲି ଖବର ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଭିତର ବେଢ଼ା ବାଟଅଗଣା ସୂର୍ଯ୍ୟ ମନ୍ଦିର ଦ୍ୱାର ଓ ଗୁମୁଟରେ ରୁପା ଚାଦର ପଡ଼ି ସାରିଛି । ସେହିପରି ଶ୍ରୀମନ୍ଦିରର ଚାରି ମୁଖ୍ୟ ଦ୍ୱାରକୁ ମଧ୍ୟ ରୁପା ଚାଦର ପକାଇବାକୁ ପ୍ରଶାସନ ବିଚାର କରୁଛି । ଏହି ଚାରିଦ୍ୱାର ରୁପା ଚାଦର ବିଛାଇବାରେ ବିପୁଳ ଅର୍ଥ ଓ ରୁପା ଲାଗିବ। ତେଣୁ ଏଥିପାଇଁ ଦାତା ଯୋଗାଡ଼ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବିଚାର କରାଯାଉଛି । ତେବେ ଏହା ପୂର୍ବରୁ ଶ୍ରୀମନ୍ଦିରର ସାତପହାଚ, ଜୟ ବିଜୟ, ବେହରଣ, ଲକ୍ଷ୍ମୀ, ବିମଳା ମନ୍ଦିର ସମେତ ସାତଟି ମନ୍ଦିରର ଦ୍ୱାରରେ ରୁପା ଛାଉଣି କରାଯାଇଛି ।

Related Posts