ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ବଡ଼ ଦୁର୍ଘଟଣା: ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୬ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଓଲଟି ପଡିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୬ ଜଣଙ୍କ ଜୀବନ। ଏଥିସହ ଅନ୍ୟ ୨୦ ଜଣ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଇରାଲ ମଣ୍ଡଳର ବଲିଜାପଲ୍ଲେ ଗାଁରୁ ଆରମ୍ଭ ହୋଇଥିଲା ବରଯାତ୍ରୀ। ଟ୍ରାକ୍ଟରରେ ବସି ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିଲେ। ଏମାନେ ଗୁରୁବାର ସକାଳେ ଜେଟ୍ଟିପଲ୍ଲେ ଗାଁରେ ହେବାକୁ ଥିବା ବିବାହରେ ସାମିଲ ହୋଇଥାନ୍ତେ। କିନ୍ତୁ ଅଧବାଟରେ ହିଁ ବରଯାତ୍ରୀଙ୍କୁ ନେଇ ଆସୁଥିବା ଟ୍ରାକ୍ଟରଟି ଦ୍ରୁତ ଗତି ଯୋଗୁ ଭାରସାମ୍ୟ ହରାଇଥିଲା ଓ ରାସ୍ତାକଡକୁ ଓଲଟି ପଡିଥିଲା।

ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଟ୍ରାକ୍ଟର ଚାଳକ, ଦୁଇ ଜଣ ମହିଳା ଓ କିଛି ପିଲା ଅଛନ୍ତି। ସେପଟେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିତ୍ତୋର, ବେଲ୍ଲୁର ଓ ତିରୁପତି ହସ୍ପିଟାଲରେ ଭର୍ତ୍ତି କରିଛି।

ଆହତଙ୍କ ମଧ୍ୟରେ ବିବାହ କରିବାକୁ ଯାଉଥିବା ବର ହେମନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି। ହେମନ୍ତ କୁମାରଙ୍କ ବିବାହ ଜେଟ୍ଟିପଲ୍ଲେ ଗାଁର ଭୁବନେଶ୍ୱରୀଙ୍କ ସହ ଗୁରୁବାର ଦିନ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ବର। ଉକ୍ତ ଟ୍ରାକ୍ଟରରେ ମୋଟ ୨୬ ଜଣ ଯାତ୍ରୀ ଥିଲେ।

Related Posts