ଟିଏମ୍‌ସିର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ : ଅଭିଷେକ ବାନାର୍ଜୀ ହେଲେ ସାଧାରଣ ସଂପାଦକ , କାକୋଲି ଘୋଷଙ୍କୁ ମହିଳା ମୋର୍ଚ୍ଚା ଦାୟିତ୍ବ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭା ନିର୍ବାଚନରେ ଏକ ବିରାଟ ଜନାଦେଶ ପାଇ ଶାସନ କ୍ଷମତାକୁ ଫେରିବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ର ସାଂଗଠନିକ ସ୍ତରରେ ଆଜି ଏକ ବଡଧରଣର ଅଦଳବଦଳ କରାଯାଇଛି। ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ଦାୟିତ୍ବ ଦିଆଯାଇଛି । ଟିଏମସିର ବରିଷ୍ଠ ନେତାମାନଙ୍କର କୋଲକାତାରେ ଏକ ସାଂଗଠନିକ ବୈଠକ ପରେ ଏହା ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ବିଜୟ ପଛରେ ଅଭିଷେକ ବାନାର୍ଜୀଙ୍କ ପ୍ରମୁଖ ଭୂମିକା ରହିଥିଲା। ବିଶେଷ ଭାବରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତି ଦେବାରେ ଅଭିଷେକଙ୍କ ପ୍ରମୁଖ ଭୂମିକା ରହିଥିଲା ତେଣୁ ତାଙ୍କୁ ପଦୋନ୍ନତି ଦିଆଯାଇଛି । ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ କରାଯିବା ଦଳରେ ତାଙ୍କର ପ୍ରଭାବକୁ ସୂଚିତ କରୁଛି। କାରଣ ମମତା ବାନାର୍ଜୀଙ୍କ ପୂର୍ବତନ ସହଯୋଗୀ ତଥା ତାଙ୍କର ଡାହାଣ ହାତ କୁହାଯାଉଥିବା ସୁଭେନ୍ଦୁ ଆଧିକାରୀ ନିର୍ବାଚନ ପୂର୍ବରୁ ଦଳ ଛାଡିବା ପାର୍ଟିରେ ତାଙ୍କର ପ୍ରଭୂତ୍ବ ବଢାଇଛି। ସେହିପରି କାକୋଲି ଘୋଷ ଦସ୍ତିଦାରଙ୍କୁ ଦଳର ମହିଳା ଶାଖାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଏବଂ ଅଭିନେତା ସାୟୋନି ଯୁବ ଶାଖାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ସାଂସଦ ଦୋଳା ସେନଙ୍କୁ ମିଳିଛି। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମସି ସାଂସ୍କୃତି ସେଲର ଇନ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ପୂର୍ବତନ ଫିଲ୍ମ ନିର୍ମାତା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି। ଅଭିଷେକ ବାନାର୍ଜୀ ପୂର୍ବରୁ ଯୁବ ସଂଗଠନର ନେତୃତ୍ୱ ନେଉଥିଲେ କିନ୍ତୁ ପଦୋନ୍ନତି ପରେ ସେ ଏବେ ଦଳର ସାଧାରଣ ସଂପାଦକ ରୂପେ କାର୍ଯ୍ୟ କରିବେ। ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ବରିଷ୍ଠ ଟିଏମସି ନେତା ପାର୍ଥ ଚାଟାର୍ଜୀ କହିଛନ୍ତି, “ଆଜି ଦଳ ନିଷ୍ପତ୍ତି ନେଇଛି ଯେ ଗୋଟିଏ ପଦରେ ଜଣେ ବ୍ୟକ୍ତି ହିଁ ରହିବେ।” ଚାଟାର୍ଜୀ ଏହା ମଧ୍ୟ କହିଛନ୍ତି ଯେ “ବଙ୍ଗଳା ବାହାରେ ସଂଗଠନର ବିସ୍ତାର କରିବାକୁ” ଯୋଜନା କରୁଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ। ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟିର ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ତେବେ ପୂର୍ବରୁ ଦଳର ସଂସଦୀୟ ନେତା ଥିବା ସୁଦୀପ ବାନ୍ଦୋପାଧ୍ୟାୟ ଏବଂ ଡେରେକ ଓ’ବ୍ରାଇନଙ୍କୁ ସେହି ପଦରେ ରଖାଯାଇଛି। ଆଜିର ବୈଠକରେ ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ମନ୍ତ୍ରୀ ମାନେ ଆଉ ତାଙ୍କ କାରରେ ନାଲିବତୀ ଲଗାଇବେ ନାହିଁ । ଏହା ସହ ଆଗାମୀ ଉପ ନିର୍ବାଚନରେ ଭବାନୀପୁର ଆସନରୁ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। କାରଣ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ହାରିବା ପରେ ମମତା ଏବେ ଭବାନୀପୁର ଆସନରୁ ନିର୍ବାଚନ ଲଢିବେ । ଆଜିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେପିର “ପ୍ରତିଶୋଧାତ୍ମକ ରାଜନୀତି” କୁ ପ୍ରତିହତ କରିବା ପାଇଁ ରଣନୀତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Related Posts