୧୮-୪୪ ବର୍ଗର ଲୋକଙ୍କ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ ରହିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନେଇ ଏବେ ରାଜନୀତି ଜୋର ଧରିଛି । ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଉଛନ୍ତି। ଏହି କ୍ରମରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି ଯେ ପଶ୍ଚିମବଙ୍ଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯାଉଥିବା ଟିକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ରହିବ । ସୂଚନାଯୋଗ୍ୟ, ବେଙ୍ଗଲ ବିଧାନସଭା ନିର୍ବାଚନ ସମୟରେ ଟିଏମସି ପକ୍ଷରୁ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବା ସହ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ ବୋଲି କୁହାଯାଇଥିଲା । ବେଙ୍ଗଲର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି, “ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ସିଧାସଳଖ ଟିକା କ୍ରୟ କରି ୧୮ ରୁ ୪୪ ବୟସ୍କଙ୍କୁ ଯୋଗାଇଦେଇଥିବାରୁ ଟିକା ପ୍ରମାଣପତ୍ରରେ ସିଏମ୍ ଙ୍କ ଫଟୋ ରଖିବାକୁ ନିଷ୍ପତ୍ତି ନିଆଯାଇଛି।” ରାଜ୍ୟ ଗୃହମନ୍ତ୍ରୀ ଫିରହାଦ୍ ହାକିମ କହିଛନ୍ତି ଯେ କେନ୍ଦ୍ର ୧୮ ରୁ ୪୪ ବୟସ୍କଙ୍କୁ ଟୀକା ଦେଉ ନାହିଁ, ରାଜ୍ୟ ସରକାର ନିଜେ ଏଥିପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ । ହାକିମ କହିଛନ୍ତି, ” ଟୀକାକରଣ ସମ୍ବନ୍ଧୀୟ ସମସ୍ତ ସୂଚନା ସାର୍ଟିଫିକେଟ୍ ରେ ଅଛି। ଟୀକାକରଣର ବ୍ୟାଚ୍ ନମ୍ବର ଠାରୁ ଆରମ୍ଭ କରି CoWIN ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଅଛି। ଏହା ବ୍ୟତୀତ ସିଏମ୍ ଙ୍କର ଏକ ବିଶେଷ ବାର୍ତ୍ତା ମଧ୍ୟ ଏଥିରେ ଅଛି।” ହାକିମ କହିଛନ୍ତି ଯେ ଏଥିରେ ଅସ୍ବାଭାବିକ କିଛି ନାହିଁ କାରଣ ପଞ୍ଜାବ, ଛତିଶଗଡ ଏବଂ ପଡୋଶୀ ଝାଡଖଣ୍ଡର ରାଜ୍ୟ ସରକାରମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ୧୮ ରୁ ୪୪ ବୟସ୍କଙ୍କୁ ଟୀକାକରଣ ପ୍ରମାଣପତ୍ର ଦେବା ଆରମ୍ଭ କରି ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ, ରାଜ୍ୟ ସରକାର ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ କରି ୧୮ ରୁ ୪୪ ବୟସ ବର୍ଗର ଲୋକଙ୍କୁ ଟୀକାକରଣ କରିବା ପାଇଁ ଟୀକା କିଣିଥିବା ନେଇ ଜଣେ ଅଧିକାରୀ କହିଛନ୍ତି । ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଗର ପ୍ରାୟ ୨୯ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି। ଜାନୁଆରୀ ୧୬ ରେ ଟୀକାକରଣ ଡ୍ରାଇଭ ଆରମ୍ଭ ହେବା ପରଠାରୁ ମୋଦୀଙ୍କ ଫଟୋ ସହିତ CoWIN ମାଧ୍ୟମରେ ଶଟ ପରିଚାଳନା କରୁଥିବା ଲୋକଙ୍କୁ ପ୍ରମାଣପତ୍ର ଦେବା ଆରମ୍ଭ କରିବା ପରେ ବିବାଦ ଆରମ୍ଭ ହୋଇଥିଲା।

Related Posts