ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରଠାରୁ ଅନୁପ୍ରବେଶକାରୀଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବଡ କାର୍ଯ୍ୟାନୁଷ୍ଠାନ ନେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ହାରିବା ପରେ TMC ରେ ବଡ଼ ଧରଣର ଫାଟ ହେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ଦଳର ପ୍ରଥମ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅନେକ ଟିଏମ୍ସି ବିଧାୟକ ଅନୁପସ୍ଥିତ ରହିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ହକର୍ମାନଙ୍କର ଉଚ୍ଛେଦ ଅଭିଯାନକୁ ବିରୋଧ କରି ଆଜି କିଛି ଟିଏମ୍ସି ବିଧାୟକ ବିଧାନସଭା ପରିସରରେ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। କିନ୍ତୁ ଏହି ସମୟରେ ଦଳର ମୋଟ୍ ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ୩୫ ଜଣ ସେଠାରେ ପହଞ୍ଚିଥିଲେ। ଶୋଭନଦେବ ଚଟ୍ଟୋପାଧ୍ୟାୟ, ନୟନ ବାନାର୍ଜୀ , କୁନାଲ ଘୋଷ ଏବଂ ଋତବ୍ରତ ବାନାର୍ଜୀଙ୍କ ପରି ନେତାମାନେ ଆଜିର ଧାରଣାରେ ବସିଥିଲେ।
କିନ୍ତୁ ସରକାର ବିରୋଧରେ ଦଳର ପ୍ରଥମ ବିରୋଧ କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ବିଧାୟକ ଅନୁପସ୍ଥିତ ରହିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେପଟେ ଦଳରେ ଏକ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ନିର୍ବାଚନୀ ଝଟ୍କା ପରେ ଦଳ ଏବେ ଏହାର ସମସ୍ତ ସଦସ୍ୟଙ୍କୁ ଏକଜୁଟ୍ କରିବାପାଇଁ ସଂଘର୍ଷ କରୁଛି। କିନ୍ତୁ ଇତି ମଧ୍ୟରେ ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଆନ୍ତଃକନ୍ଦଳ ଖବରକୁ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି, ନିର୍ବାଚନ ପରବର୍ତ୍ତୀ ହିଂସା ଉପୁଜିଥିବା ଅଞ୍ଚଳରେ କିଛି ବିଧାୟକ ବ୍ୟସ୍ତ ଅଛନ୍ତି। ଏହି ସମୟରେ କମ୍ ଦିନରେ ନୋଟିସ୍ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେଣୁ ସମସ୍ତ ବିଧାୟକ ଉପସ୍ଥିତ ରହିପାରିଲେନି। ତେବେ ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ କାଳିଘାଟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଦିନକ ପରେ ଏହି ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
