ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରଠାରୁ ଅନୁପ୍ରବେଶକାରୀଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବଡ କାର୍ଯ୍ୟାନୁଷ୍ଠାନ ନେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ରାଜ୍ୟର ନବର୍ନିବାଚିତ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟ ସଚିବାଳୟ ‘ନବାନ୍ନ’ଠାରେ ଏକ ପ୍ରେସ କନଫରେନ୍ସ କରି ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ନାଗରିକତ୍ୱ ସଂଶୋଧନ ଆଇନ (CAA) ଅଧୀନରେ ଆସୁନାହାନ୍ତି, ସେମାନଙ୍କୁ ଗିରଫ କରାଯାଇ ସିଧାସଳଖ ବର୍ଡର ସିକ୍ୟୁରିଟି ଫୋର୍ସ (BSF) କୁ ହସ୍ତାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିଷୟରେ କେନ୍ଦ୍ର ସରକାର ଗତ ବର୍ଷ ହିଁ ପଶ୍ଚିମବଙ୍ଗକୁ ଏକ ନିର୍ଦ୍ଦେଶ ପଠାଇଥିଲେ, ମାତ୍ର ପୂର୍ବତନ ସରକାର ଏହାକୁ ଲାଗୁ କରି ନ ଥିଲେ। ଭାଜପା ସରକାର ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିଛି ବୋଲି କହିଛନ୍ତି ।
ସେପଟେ ଉତ୍ତର ବଙ୍ଗଳା ଗସ୍ତରୁ ଫେରିବା ପରେ ଶୁଭେନ୍ଦୁ ଅଧିକାରୀ BSF ଅଧିକାରୀଙ୍କ ସହ ଏହି ଖବରଦାତା ସମ୍ମିଳନୀ କରିଥିଲେ। ସେ ସୀମା ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ରାଜ୍ୟର ୨୭ କିଲୋମିଟର ଜମି BSF କୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ଅନୁପ୍ରବେଶ ରୋକିବା ନେଇ ସେ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, CAA ଆଇନ ଅନୁସାରେ ଧାର୍ଯ୍ୟ ସାତଟି ସମ୍ପ୍ରଦାୟର ଯେଉଁ ଲୋକମାନେ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଏହି ରାଜ୍ୟକୁ ଆସିଛନ୍ତି, ପୋଲିସ ସେମାନଙ୍କୁ କୌଣସି ପ୍ରକାର ହଇରାଣ ବା ଗିରଫ କରିପାରିବ ନାହିଁ।
ଯେଉଁମାନେ CAA ର ସର୍ତ୍ତାବଳୀ ମଧ୍ୟରେ ଆସୁନାହାନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ବେଆଇନ ଅନୁପ୍ରବେଶକାରୀ ଭାବେ ଗଣାଯିବ। ରାଜ୍ୟ ପୋଲିସ ସେମାନଙ୍କୁ ଗିରଫ କରି BSF କୁ ଦେବ ଏବଂ ’ବର୍ଡର ଗାର୍ଡ ଅଫ୍ ବାଂଲାଦେଶ’ (BGB) ସହ ଆଲୋଚନା କରି ସେମାନଙ୍କୁ ସୱଦେଶ ଫେରସ୍ତ (Depoart) କରାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶ ଓ ରାଜ୍ୟର ସୁରକ୍ଷା ସ୍ବାର୍ଥରେ ସୀମାନ୍ତବର୍ତ୍ତୀ ସମସ୍ତ ପୋଲିସ ଷ୍ଟେଶନରେ ଏହି ନିୟମ ଲାଗୁ କରାଯାଇଛି।
ଏଥିପାଇଁ ରାଜ୍ୟ ପୋଲିସ ଡିଜି (DG) ଏବଂ ମୁଖ୍ୟ ଶାସନ ସଚିବ (Chief Secretary) ଙ୍କୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ’ଡିଟେକ୍ଟ (ଚିହ୍ନଟ), ଡିଲିଟ (ବାଦ) ଏବଂ ଡିପୋର୍ଟ (ତଡ଼ିବା)’ ନୀତି ଆଧାରରେ କାମ ଚାଲିବ। ଗତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଗେଜେଟ ବିଜ୍ଞପ୍ତି ଅନୁଯାୟୀ, ୩୧ ଡିସେମ୍ବର ୨୦୨୪ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଶରଣାର୍ଥୀର ମାନ୍ୟତା ଦିଆଯିବ ଏବଂ ଭାରତ ସରକାର ସେମାନଙ୍କୁ ଡିପୋର୍ଟ କରିବେ ନାହିଁ।ଏହି ବିଜ୍ଞପ୍ତି ’ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ’ର ସେକ୍ସନ ୩୩ ଅଧୀନରେ ଜାରି କରାଯାଇଥିଲା, ଯାହା ୪ ଅପ୍ରେଲ ୨୦୨୫ରୁ ସାରା ଦେଶରେ ଲାଗୁ ହୋଇଛି। ଏହି ଆଇନ ଅନୁଯାୟୀ କୌଣସି ବିଦେଶୀ ନାଗରିକ ବୈଧ ପାସପୋର୍ଟ କିମ୍ବା ଭିସା ବିନା ଭାରତରେ ରହିପାରିବେ ନାହିଁ।
