ଜେଲର ଚାରିକାନ୍ଥ ଭିତରେ ରହୁଥିବା ଅଧିକାଂଶ କଏଦୀ ଗରିବ ଶ୍ରେଣୀର: ରିପୋର୍ଟ

ଭୁବନେଶ୍ବର : ଆଇନ ଆଖିରେ ସମସ୍ତେ ସମାନ । କେହି ଧନୀ କି ଗରିବ ନୁହଁନ୍ତି । ଆମ ସମ୍ବିଧାନ ଏହା କୁହେ । କିନ୍ତୁ ଏନସିଆରବି ଜାରି କରିଥିବା ରିପୋର୍ଟ କିଛି ଅଲଗା କହୁଛି । ଜେଲର ଚାରିକାନ୍ଥ ଭିତରେ ରହୁଥିବା ଅଧିକାଂଶ କଏଦୀ ଗରିବ ଶ୍ରେଣୀର । ଓଡିଶା ସମେତ ସାରା ଦେଶର ବିଭିନ୍ନ ଜେଲର ରହୁଥିବା ବିଚାରଧୀନ କଏଦୀକୁ ନେଇ ତର୍ଜମା କରିବା ପରେ ଏନସିଆରବି ଏପରି ରିପୋର୍ଟ ଦେଇଛି ।

ଯାହା ପ୍ରମାଣିତ କରିଛି କିଏ ଆଇନର ଲାଭ ପାଇପାରୁଛି । ରାଜ୍ୟରେ ଜେଲରେ ଥିବା ବିଚାରଧୀନ କଏଦୀଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର । ଡିସେମ୍ବର ୩୧, ୨୦୨୧ ସୁଦ୍ଧା ରାଜ୍ୟରେ ବିଭିନ୍ନ ଜେଲରେ ବିଚାରାଧୀନ କଏଦୀ ସଂଖ୍ୟା ୧୮ହଜାର ୧୬୪ ରହିଛି । ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ୫ହଜାର ୭୪୬, ଅନୁସୂଚିତ ଜନଜାତିର ୪ହଜାର ୩୮୯, ପଛୁଆ ବର୍ଗର ୫ହଜାର ୬୧ ଓ ଅନ୍ୟ ବର୍ଗରୁ ୨ହଜାର ୯୮୬ ରହିଛନ୍ତି ।

ଜୁଲାଇ ୩୧ ୨୦୨୨ । ସୁପ୍ରିମକୋର୍ଟର ତକ୍ରାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ସର୍ବଭାରତୀୟ ଜିଲ୍ଲା ନ୍ୟାୟିକ ସେବାକୁ ଉଦବୋଧନ ଦେଇଥିଲେ । ଆଉ କହିଥିଲେ ଦେଶର ବହୁତ କମ ଲୋକ ନ୍ୟାୟ ପାଉଛନ୍ତି । ଅଧିକାଂଶ ଲୋକ ଏବେ ନ୍ୟାୟ ନପାଇ ନିରବ ରହୁଛନ୍ତି । ଏହାର କାରଣ ଦାରିଦ୍ର୍ୟ ବୋଲି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଥିଲେ । ଗରିବ ଲୋକ ଆଇନକୁ ନେଇ ସେତେଟା ସଚେତନ ନୁହନ୍ତି ଏଥିସହ ଭଲ ଓକିଲ ପାଇଁ ଆବଶ୍ୟକ ଟଙ୍କ।। ଯୋଗାଇ ପାରୁନାହାନ୍ତି । ଏବେ ସମାନ କଥା ଏନସିଆରବି କହିଛି ।

ଓଡ଼ିଶାରେ ୨୦୨୦ ତୁଳନାରେ ୨୦୨୧ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏଥିମଧ୍ୟରୁ ସଜା କାଟୁଥିବା କଏଦୀଙ୍କ ସଂଖ୍ୟା ମାତ୍ର ୨ହଜାର ୬୨୦ ରହିଛି । ସେହିଭଳି ଡିସେମ୍ବର ୩୧, ୨୦୨୧ ସୁଦ୍ଧା ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀଙ୍କ ସଂଖ୍ୟା ୨୦ହଜାର ୮୦୩ କଏଦୀ ରହିଛନ୍ତି ।

Related Posts