
ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ବା ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ବିଭ୍ରାଟ ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ସ୍କୁଲ୍ରୁ ଏଭଳି ଅଭିଯୋଗ ଆସିଛି। ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରଶ୍ନପତ୍ରରେ ୧୯ ନମ୍ବର ପ୍ରଶ୍ନ ନଥିବା ଛାତ୍ରଛାତ୍ରୀ କହିଛନ୍ତି।
ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ଟି ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଓଏମ୍ଆର ବ୍ୟବସ୍ଥାରେ ଖାତା ଦେଖା ଯାଉଥିବାରୁ ଏଭଳି ବିଭ୍ରାଟ ପାଇଁ ମାର୍କ କମିବାର ଅଭିଭାବକ ଓ ଛାତ୍ରଛାତ୍ରୀ ଆଶଙ୍କା କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ସେହିଭଳି ଢେଙ୍କାନାଳ, ପାରଳାଖେମୁଣ୍ଡି ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ସେପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ମାଧ୍ୟମିକ ଶିକ୍ଷା ପରିଷଦ ସ୍ୱୀକାର କରିଛି। ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ବୋର୍ଡ ସଭାପତି ମାନିଛନ୍ତି। ସେ କହିଛନ୍ତି, ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଛି। ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି। କ’ଣ ପାଇଁ ଏଭଳି ହେଲା ଏହାର ତର୍ଜମା କରାଯିବ। ମୂଲ୍ୟାୟନ ସମୟରେ ଏହାକୁ ଦୃଷ୍ଟିରେ ରଖାଯିବ। ଛାତ୍ରଛାତ୍ରୀ ମାନେ ଚିନ୍ତିତ ନ ହେବାକୁ ସେ କହିଛନ୍ତି।