ପୁଣି ବିଧାନସଭାରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ: ଏଫବିଆଇର ସହାୟତା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଥିବା ଚିଠି ମାଗିଲେ ଜୟନାରାୟଣ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ପୁଣି ବିଧାନସଭାରେ ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ କୁ ୫୦ ଦିନ ପୁରିଗଲାଣି । ହେଲେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲା ନାହିଁ । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ବାହାରକୁ ନେବାକୁ କ୍ରାଇମବ୍ରାଞ୍ଚ ଚାହୁଁଛି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି ? ଏସସିବି ମେଡ଼ିକାଲକୁ ବିଶ୍ୱ ସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ଓଡ଼ିଶା ସରକାର ତଦନ୍ତରେ ଏଫବିଆଇର ସାହାଯ୍ୟ ନେବାକୁ କେନ୍ଦ୍ର ସରକାରକୁ ଯେଉଁ ଚିଠି ଲେଖିଛନ୍ତି ସେ ଚିଠିକୁ ଗୃହରେ ଉପସ୍ଥାପିତ କରିବେ କି । ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ସରକାର ଉପସ୍ଥାପିତ କରିବେ କି ? ଏଭଳି ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୟନାରାୟଣ ।

ସେହିଭଳି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଉଠାଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୟନାରାୟଣ ମିଶ୍ର । ମାଟ୍ରିକ ପରୀକ୍ଷାର ଗୋଟିଏ ପ୍ରଶ୍ନ ୧୦ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି । ଚାରିଟା ପ୍ରଶ୍ନକୁ ଚାଳିଶ ହଜାରରେ ବିକ୍ରି ହେଉଛି ଏହାର ଅଡିଓ ବାହାରେ ବୁଲୁଥିବା କହିଛନ୍ତି ଜୟନାରାୟଣ । ବଲାଙ୍ଗୀରରେ ୨ଟି ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରସଙ୍ଗ ଉଠାଇବା ସହ ଏହା କଣ ୫-ଟି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

Related Posts