ଢୋଲ ବଜାଇ, ଗର୍ବା ନୃତ୍ୟ କରି କୋଲ୍‌କାତାର ବିଭିନ୍ନ ଦୁର୍ଗାପୂଜା ମଣ୍ଡପର ଉଦ୍‌ଘାଟନ କଲେ ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢୋଲ ବଜାଇ, ଗର୍ବା ନୃତ୍ୟ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଉତ୍ସାହର ସହିତ କୋଲ୍‌କାତାର ବିଭିନ୍ନ ଦୁର୍ଗାପୂଜା ମଣ୍ଡପର ଉଦ୍‌ଘାଟନ କରିଛନ୍ତି। ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ସେଭଳି କେତେକ ଭିଡିଓ ମଧ୍ୟରୁ ଗୋଟିଏରେ ବୁଧବାର ଦିନ ମମତା ଭବାନୀପୁରରେ ଦାଣ୍ଡିଆ ବା ଗର୍ବା ନୃତ୍ୟ କରି ‘ତୃଣମୂଳ କଂଗ୍ରେସ’ର କାଉନ୍‌ସିଲର୍‌ ଅସୀମ ବୋଷଙ୍କ ଦୁର୍ଗାପୂଜା ପେଣ୍ଡାଲ୍‌ ଉନ୍ମୋଚନ କରୁଛନ୍ତି। ସେହିଭଳି ବୁଧବାର ଦିନ ମମତା ବାନାର୍ଜୀ ଆଲିପୁରରେ ସୁରୁଚି ସଂଘ ପୂଜା ପେଣ୍ଡାଲ୍‌ ଉଦ୍‌ଘାଟନ କରିବା ଅବସରରେ ‘ଢାକ୍‌’ ( ଢୋଲ ) ବଜାଇ ଥିଲେ। ତାଙ୍କ ସାଥିରେ କ୍ୟାବିନେଟ୍‌ ମନ୍ତ୍ରୀ ଫରିଦ୍‌ ହକିମ୍‌ ଓ ଅରୂପ ବିଶ୍ବାସ ମଧ୍ୟ ଯୋଗଦେଇଥିଲେ। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି, ଫିତା କାଟି ମଣ୍ଡପ ଉଦ୍ଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କାନ୍ଧରେ ପକାଇଥିବା ‘ଢାକ୍‌’ ( ଢୋଲ ) ବଜାଇ ବଜାଇ ପେଣ୍ଡାଲ୍‌ ଆଡ଼କୁ ଯାଉଛନ୍ତି। ମନ୍ତ୍ରୀ ଫରିଦ୍‌ ହକିମ୍‌ ମଧ୍ୟ ତାଙ୍କ ସହିତ ମିଶି ‘ଢାକ୍‌’ ବଜାଇଥିଲେ।

ସୂଚନାଯୋଗ୍ୟ ଯେ, ‘ଉତ୍ସବେର୍‌ ଗାନ୍‌’ (ଉତ୍ସବ ଗୀତ) ଶୀର୍ଷକ ସ୍ବତନ୍ତ୍ର ଗୀତ ଆଲ୍‌ବମ୍‌ରେ ପ୍ରଥମ ଥର ପାଇଁ ଗୀତ ଗାଇ ମହାଳୟା ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲ୍‌କାତାରେ ଦୁର୍ଗାପୂଜା ଉତ୍ସବ ଆରମ୍ଭ କରିଥିଲେ। ସେଥିରେ ଥିବା ‘ଢାକ୍‌ ଦୁମାଦୁମ୍‌’ ଗୀତଟିକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ସହ ଗାଇଛନ୍ତି ଇନ୍ଦ୍ରନୀଳ ସେନ ଓ ଅଦିତି ମୁନ୍‌ଷୀ।ଅକ୍ଟୋବର ୧ ତାରିଖ ଷଷ୍ଠୀ ଦିନରୁ ଚଳିତ ବର୍ଷର ଦୁର୍ଗାପୂଜା ଆରମ୍ଭ ହେଉଥିବା ବେଳେ ଚଳିତ ଥର କୋଲକାତା ଦୁର୍ଗାପୂଜା ‘ୟୁନେସ୍କୋ’ ମାନ୍ୟତା ପାଇଥିବାରୁ ସେପ୍ଟେମ୍ବର ୨୨ରୁ ବାନାର୍ଜୀ ପୂଜା ପେଣ୍ଡାଲ୍‌ ଉଦ୍‌ଘାଟନ ଆରମ୍ଭ କରିଦେଇଛନ୍ତି।

Related Posts