ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ | ମମତାଙ୍କୁ ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି | ଦଳ ପାଖରେ ବିଧାନସଭାରେ ଥିବା ସଂଖ୍ୟା ଅନୁସାରେ ମମତା ମହନ୍ତ ପୁଣି ରାଜ୍ୟସଭାକୁ ଯିବା ପକ୍କା ହୋଇଛି | ତେବେ ମମତା ମହନ୍ତଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ଶେଷରେ ମମତାଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି | ସେପଟେ ମମତାଙ୍କୁ ପ୍ରାର୍ଥୀ କରି ବିଜେଡି ମୁହଁରେ ବିଜେପି କଳା ବୋଳିଦେଇଛି ବୋଲି ମଧ୍ୟ କୁହାଯାଉଛି | କାରଣ ମମତା ମହନ୍ତ ଯେତେବେଳେ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ, ସେତେବେଳେ ବିଜେଡି ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲା | ମମତା ମୟୁରଭଞ୍ଜ ଓ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବୋଲି କହିବା ସହିତ ଅର୍ଥ ଲୋଭରେ ସେ ବିଜେପିକୁ ଯାଇଥିବା ବିଜେଡି କହିଥିଲା |
ହେଲେ ଏବେ ମମତାଙ୍କୁ ପ୍ରାର୍ଥୀ କରି ବିଜେଡିର ଏସବୁ ଅଭିଯୋଗ କୁ ଭୁଲ ପ୍ରମାଣିତ କରିଛି ବିଜେପି | ସେପଟେ ବିଜେପିରେ ଯୋଗଦେବା ପରେ ମମତା କହିଥିଲେ ଯେ, ବିଜେଡି ତାଙ୍କୁ ଅଣଦେଖା କରୁଥିଲା, ତାଙ୍କୁ ସ୍ୱାଧୀନ ଭାବେ କାମ କରିବାକୁ ଦେଉନଥିଲା | ଏପରିକି ତାଙ୍କ ସାଂସଦ ପାଣ୍ଠିଙ୍କୁ ଖର୍ଚ୍ଚ କରିବାକୁ ତାଙ୍କୁ ଦିଆଯାଉନଥିଲା | ତତ୍କାଳୀନ ବିଜେଡିର ସଂଗଠନ ସମ୍ପାଦକ ବବି ଦାସ ତାଙ୍କ ନିର୍ବାଚନ ମଣ୍ଡଳୀରେ ମମତାଙ୍କ ସାଂସଦ ପାଣ୍ଠି ବିନିଯୋଗ କରିବାକୁ ଚାପ ପକାଉଥିଲେ | ଏହାକୁ ବାରଣ କରିବାରୁ ତାଙ୍କୁ ଧମକ ମଧ୍ୟ ମିଳିଥିବା ମମତା କହିଥିଲେ | ପରେ ମମତା ସାଂସଦ ପାଣ୍ଠି ନେଇ ଆଣିଥିବା ଅଭିଯୋଗ ସରକାରୀ ଦସ୍ତାବିଜରୁ ସତ୍ୟ ପ୍ରମାଣିତ ହୋଇଥିଲା | ଶେଷରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଓ ଏବେ ବିଜେପି ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ |