ଉପ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ନିବେଦନ , କହିଲେ – ” ପିଏମ ଦିଅନ୍ତୁ ସଙ୍କେତ, ଶୁଣିଛି ମୋଦୀ କହିଲେ ନିର୍ବାଚନ ଆୟୋଗ ଶୁଣନ୍ତି “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜନୀତିରେ ସର୍ବଦା କେନ୍ଦ୍ର ବନାମ ରାଜ୍ୟ ସରକାର ଦେଖିବାକୁ ମିଳିଥାଏ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଲଗାତାର ଟାର୍ଗେଟ କରୁଥିଲେ। ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଓ ବିଜେପି ଇଶାରାରେ କାମ କରୁଥିବା ସେ ଅନେକ ଥର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟାକ୍ଷ କରି କହିଛନ୍ତି ଯେ, ” ଶୁଣିଛି ଯେ ପ୍ରଧାନମନ୍ତ୍ରୀଙ୍କ କହିଲେ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନିଅନ୍ତି। ତାଙ୍କ କଥା ସେ ଶୁଣନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେ ନିର୍ବାଚନ ଆୟୋଗଙ୍କୁ କହି ଏକ ସପ୍ତାହ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରନ୍ତୁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କରୋନା ମାମଲା ବହୁତ ହ୍ରାସ ପାଇଛି। ଯେତେବେଳେ ରାଜ୍ୟରେ ୩୦ ପ୍ରତିଶତରୁ ଅଧିକ ମାମଲା ଥିଲା ସେତେବେଳେ ଯଦି ନିର୍ବାଚନ ହୋଇ ପାରିଲା ତେବେ ବର୍ତ୍ତମାନ କାହିଁକି ହୋଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଚାହିଁଲେ ଗୋଟିଏ ସପ୍ତାହ ମଧ୍ୟରେ ନିର୍ବାଚନ ହୋଇ ପାରିବ। ” ସୂଚନାଯୋଗ୍ୟ ଯେ, ଏଥର ବିଧାନସଭା ନିର୍ବାଚନରେ ଟିଏମସି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରି ଯାଇଥିଲେ। ତେବେ ହରିଯାଇଥିବା ସତ୍ତ୍ବେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ସମ୍ବିଧାନର ନିୟମ ଅନୁଯାୟୀ ତାଙ୍କୁ ୬ ମାସ ମଧ୍ୟରେ ପୁଣି ଥରେ ବିଧାନସଭାକୁ ନିର୍ବାଚିତ ହୋଇ ଯିବାକୁ ପଡ଼ିବ । ଏଥିପାଇଁ ସେ ତାଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ଭବାନୀପୁରରୁ ନିର୍ବାଚନ ଲଢିବେ। ଗତ କିଛିଦିନ ତଳେ ବରିଷ୍ଠ ଟିଏମସି ନେତା ତଥା ଭବାନୀପୁର ଆସନରୁ ବିଜୟୀ ହୋଇଥିବା ଶୋଭନ ଦେବ ଚଟ୍ଟୋପାଧ୍ୟାୟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଉକ୍ତ ଆସନରୁ ଉପ-ନିର୍ବାଚନରେ ମମତା ଲଢ଼େଇ କରିବେ ବୋଲି କୁହାଯାଉଛି।

Related Posts