ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଜାଗାରେ ମାନସ ମଙ୍ଗରାଜ । ସେପଟେ ସୁଲତା ଦେଓଙ୍କୁ ଉପନେତା ଏବଂ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସେମାନଙ୍କର ନିଯୁକ୍ତି ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି । ଏକ ବିବାଦୀୟ ପରିସ୍ଥିତିରେ ଗତ ୯ ତାରିଖରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ ଡ. ସସ୍ମିତ୍ ପାତ୍ର । ସସ୍ମିତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବା ପାଇଁ ଅନ୍ୟ ୪ ଜଣ ସାଂସଦ ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଶୁଭାଶିଷ ଖୁଣ୍ଟିଆ ସଭାପତିଙ୍କୁ ଚିଠି ଲେଖିଥିଲେ । ସସ୍ମିତଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେମାନେ ଚିଠି ଲେଖିଥିବା କୁହାଯାଉଛି । ବିଜୁ ବାବୁଙ୍କୁ ଅପମାନିତ କରି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ରାଜ୍ୟସଭାରେ ଯେଉଁ ଢ଼ଙ୍ଗରେ ପ୍ରତିବାଦ କରାଯିବା କଥା ତାହା ସସ୍ମିତ କୁଆଡ଼େ କରାଇ ନ ଥିଲେ । ଯଦିଓ ଏ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି । ସମ୍ଭବତଃ ତାଙ୍କ ଉପରକୁ ବିପଦ ଆସୁଥିବା ନିଶ୍ଚିତ ହେଲା ପରେ ସସ୍ମିତ୍ ନିଜ ଆଡୁ ସଂସଦୀୟ ଦଳର ନେତା ପଦ ଛାଡ଼ିଥିଲେ । ସସ୍ମିତ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । ବରଂ ଇସ୍ତଫା ଦେଲା ପରଠୁ ସସ୍ମିତ ଅଧିକ ସକ୍ରିୟ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଚିଠି ଲେଖୁଛନ୍ତି ।ଅନ୍ୟପଟେ ୨୦୨୨ ମସିହାରୁ ସସ୍ମିତ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ରହିଥିଲେ । ତାଙ୍କର ପ୍ରଦର୍ଶନ ଭଲ ଥିଲା । ତେବେ ୱକଫ୍ ବିଲ୍ ପ୍ରସଙ୍ଗରେ ସେ ବିବାଦରେ ଫସିଥିଲେ । ବିଲ୍ ବିରୋଧରେ ବିଜେଡି ଭୋଟ୍ ଦେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା ।
