ମାଙ୍ଗାଲୁରୁ: ଜଣେ ସହଯାତ୍ରୀଙ୍କ ମୋବାଇଲ୍ ଫୋନ୍କୁ ଆସିଥିଲା ଏକ ସନ୍ଦେହଜନକ ‘ଟେକ୍ଷ୍ଟ୍ ମେସେଜ୍’ । ଏହି ସଙ୍କ୍ରାନ୍ତରେ ମହିଳା ଯାତ୍ରୀ ସତର୍କ କରାଇ ଦେବାରୁ ରବିବାର ସନ୍ଧ୍ୟାରେ ଗୋଟାଏ ମାଙ୍ଗାଲୁରୁ-ମୁମ୍ବାଇ ଇଣ୍ଡିଗୋ ବିମାନ ବିଳମ୍ବରେ ଉଡାଣ ଭରିଛି । ୬ଘଣ୍ଟା ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିବା କଥା ପୁଲିସ କହିଛି।
ପୁଲିସ କହିଛି, ମୁମ୍ବାଇ ଅଭିମୁଖେ ଯିବା ପୂର୍ବରୁ ଉକ୍ତ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ସେମାନଙ୍କର ଲଗେଜ୍ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା।
ଉକ୍ତ ବିମାନରେ ଥିବା ଜଣେ ପୁରୁଷ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ରେ ଆସିଥିବା ସନ୍ଦେହଜନକ ମେସେଜ୍ ଦେଖି ଜଣେ ମହିଳା ଯାତ୍ରୀ କ୍ୟାବିନ୍ କ୍ରୁ’ଙ୍କୁ ସେ ସଂକ୍ରାନ୍ତରେ ସୂଚନା ଦେଇଥିଲେ।
ତୁରନ୍ତ କ୍ୟାବିନ୍ କ୍ରୁ’ ଏ ସଂକ୍ରାନ୍ତରେ ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍’ଙ୍କୁ ସୂଚନା ଦେଇଥିଲେ। ଫଳରେ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇସାରିଥିବା ଉକ୍ତ ବିମାନ ପୁଣି ‘ବେ’କୁ ଫେରିଆସିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ସେହି ବିମାନ ବନ୍ଦରରେ ବେଙ୍ଗାଲୁରୁ ଯିବା ପାଇଁ ବିମାନ ଧରିବାକୁ ଥିବା ପ୍ରେମିକା ସଙ୍ଗରେ ଉକ୍ତ ପୁରୁଷ ଯାତ୍ରୀଜଣକ ଚାଟିଙ୍ଗ୍ କରୁଥିଲେ। ସନ୍ଦେହଜନକ ବାର୍ତ୍ତା ( ୟୁ ଆର୍ ଡା ବମ୍ବର୍) ଆସିବା ପରେ ଉକ୍ତ ଯାତ୍ରୀଙ୍କୁ ଆଉ ବିମାନ ଆରୋହଣ ପାଇଁ ଅନୁମତି ଦିଆ ନ ଯାଇ ଜେରା କରିବାକୁ ନିଆଯାଇଥିଲା। କେତେ ଘଣ୍ଟା ଧରି ଜେରା ଚାଲିଲା ଏବଂ ତାଙ୍କ ପ୍ରେମିକା ମଧ୍ୟ ବେଙ୍ଗାଲୁରୁ ଯିବା ବିମାନରେ ଯାଇ ପାରିଲେ ନାହିଁ।
ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଉକ୍ତ ବିମାନରେ ସମସ୍ତ ୧୮୫ଜଣ ଯାତ୍ରୀଙ୍କୁ ଚଢ଼ିବା ପାଇଁ ଅନୁମତି ମଳିଥିଲା। ନିର୍ଦ୍ଧାରିତ ସମୟର ୬ ଘଣ୍ଟା ବିଳମ୍ବ ଅର୍ଥାତ୍ ସନ୍ଧ୍ୟା ୫ଟାରେ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ଦୁଇ ବନ୍ଧୁଙ୍କ ମଧ୍ୟରେ ତାହା ଆମୋଦପୂର୍ଣ୍ଣ ‘ଚାଟିଙ୍ଗ୍’ ଥିବାରୁ କାହା ନାମରେ କୌଣସି ମାମଲା ରୁଜୁ କରାଯାଇ ନାହିଁ ବୋଲି ‘ସିଟି ପୋଲିସ୍ କମିସନର୍’ ଏନ୍. ଶଶୀ କୁମାର କହିଛନ୍ତି।
