“ମନୀଷ ସିସୋଡିଆ ମହାରଣା ପ୍ରତାପଙ୍କ ବଂଶଜ ଅଟନ୍ତି”: ଆପ ସାଂସଦ ସଞ୍ଜୟ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଘରେ ସିବିଆଇ ଚଢାଉକୁ ନେଇ ଭାଜପା ବାରମ୍ବାର ଆମ୍‌ ଆଦମୀ ପାର୍ଟୀ(ଆପ) ସରକାର ଉପରେ ଟାର୍ଗେଟ କରୁଛି। ତେବେ ଗତକାଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ମନୀଷଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ଆଜି ଆପ ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ସିଂ ଏକ ଖବରଦାତା ସମ୍ମିଳନୀ କରି ମନୀଷଙ୍କ ନାମ ସମ୍ପର୍କରେ ଅନୁରାଗ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମନୀଷ ଜୀଙ୍କ ନାମ ପରିବର୍ତ୍ତନ କରିବା ପୂର୍ବରୁ ତାଙ୍କ ପରିବାର ବିଷୟରେ ଜାଣିବା ଉଚିତ। ସିସୋଡିଆ ମହାରଣା ପ୍ରତାପଙ୍କ ବଂଶଜ ବୋଲି ସଞ୍ଜୟ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ଦେଶ ତଥା ବିଶ୍ୱର ସବୁଠାରୁ ଲୋକପ୍ରିୟ ଶିକ୍ଷା ମନ୍ତ୍ରୀ ହେଉଛନ୍ତି ମନୀଷ ସିସୋଡିଆ। ଆମେରିକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଭାରତ ଆସିଲେ, ଦିଲ୍ଲୀ ବିଦ୍ୟାଳୟଗୁଡ଼ିକୁ ଦେଖିବାକୁ ଯାଆନ୍ତି। ଦିଲ୍ଲୀରେ ସରକାରୀ ବିଦ୍ୟାଳୟରେ ଶୀତତାପ ନିୟନ୍ତ୍ରିତ କୋଠରୀ, ସୁଇମିଂ ପୁଲ, ହକି ପଡିଆ ନିର୍ମାଣ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟ ଫଳାଫଳ ଘରୋଇ ବିଦ୍ୟାଳୟ ଅପେକ୍ଷା ଭଲ ହୋଇଛି। ଏସବୁ ଦେଖି ନରେନ୍ଦ୍ର ମୋଦି ଭୟଭୀତ ହୋଇପଡିଛନ୍ତି।

ଏଥିସହ ଗୁଜରାଟର ଆପ ନେତା ଇସୁଦାନ ଗଡଭି ମଧ୍ୟ ଏ ବିଷୟରେ ଟୁଇଟ କରିଛନ୍ତି। ସେ କହିଛନ୍ତି, ଭାଜପା ମହାରଣା ପ୍ରତାପଙ୍କ ବଂଶଧର ମନୀଷ ସିସୋଡିଆଙ୍କୁ ମିଥ୍ୟା ଅଭିଯୋଗରେ ହଇରାଣ କରୁଛି। ଏଥିପାଇଁ ଗୁଜରାଟର ରାଜପୁତ ଯୁବକମାନଙ୍କ ମଧ୍ୟରେ ରାଗ ବଢିଛି। ଆଗାମୀ ଦିନରେ ୫୦୦୦ରୁ ଅଧିକ ରାଜପୁତ ଯୁବକ ଏଏପିରେ ଯୋଗଦେବେ।

ସୂଚନାଯୋଗ୍ୟ, ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ ହେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆପକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଦୁର୍ନୀତିର ନୂଆ ରେକର୍ଡ ସୃଷ୍ଟି କରିବାରେ ଅରବିନ୍ଦ କେଜ୍‌ରିୱାଲ ଏକ ନମ୍ବର ସ୍ଥାନରେ ଅଛନ୍ତି। ମନୀଷ ସିସୋଡିଆଙ୍କନୂଆ ନାମ ବର୍ତ୍ତମାନ MONEY SHH… ରଖାଯାଉ।

Related Posts