କର୍ଣ୍ଣାଟକରେ ବାଧ୍ୟତାମୂଳକ ହେଲା ମାସ୍କ; ନୂଆବର୍ଷ ପାଳନ ପାଇଁ ଗାଇଡଲାଇନ ଜାରିକଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ସରକାର ନିଜ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏବଂ ଆଗକୁ ଯେପରି ଏହା ଅଧିକ ବିସ୍ତାର ନହେବ ତାହାକୁ ନେଇ ସରକାର ଏବେ ଠାରୁ କଡା ପଦକ୍ଷେପ ପାଳନ କରିଛନ୍ତି ।

ସୂଚନାମୁତାବକ କର୍ଣ୍ଣାଟକ ସରକାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ସ୍କୁଲ ,କଲେଜ, ସିନେମାହଲ , ହସ୍ପିଟାଲ ସବୁ ଠାରେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାର୍ଗଦର୍ଶିକା ଜାରି ହୋଇଛି। ବିନା ମାସ୍କରେ କେହି ଗହଳି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଆଗକୁ ନୂଆବର୍ଷ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାତି ଗୋଟାଏ ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ପବ୍, ରେଷ୍ଟୁରାଣ୍ଟ, ବାର ରାତି ଗୋଟାଏ ପୂର୍ବରୁ ବନ୍ଦ ହେବ ବୋଲି କୁହାଯାଇଛି । ତେବେ ଆତଙ୍କିତ ନ ହୋଇ ମାସ୍କ ବ୍ୟବହାର କରିବା ସହିତ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ କର୍ଣ୍ଣାଟକ ସରକାର କହିଛନ୍ତି ।

ସୂଚନାମୁତାବକ ଚୀନରେ ବର୍ତ୍ତମାନ କରୋନା ସ୍ଥିତି ବହୁ ଖରାପ ରହିଥିବା ବେଳେ ଏବେ ଠାରୁ ଏହା ସବୁ ଦେଶକୁ ଚିନ୍ତାରେ ପକେଇଛି । ତେବେ ଦେଶରେ ଯେପରି ଏହା ବୃଦ୍ଧି ନପାଏ ତାହାକୁ ନେଇ ଏବେ ଠାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହା ପାଇଁ ସମସ୍ତ ରାଜ୍ୟ ସହିତ ମଧ୍ୟ ବୈଠକ କରାଯାଇଥିଲା ।

କୋଭିଡ ନିୟମ ପାଇଁ ରାଜ୍ୟରେ ମଧ୍ୟ ସମୀକ୍ଷା ବୈଠକ ବସିଥିଲା । ସର୍ବ ସାଧାରଣ ସ୍ଥାନରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହା ସହିତ କରୋନାର ଯେଉଁ ଗାଇଡ ଲାଇନ ଥିଲା ଯେପରି ମାସ୍କ ପରିଧାନ କରିବା, ହାତକୁ ଧୋଇବା, ଦୂରତା ପାଳନ କରିବା ପାଇଁ ସୂଚନା ଦିଆଯାଇଛି । ଏହା ସହ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।

Related Posts