ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ପ୍ରସୂତିଙ୍କ ପେଟରେ ରହିଗଲା ଗଜ୍ କପଡ଼ା: ରାୟଗଡ଼ା ରୁ ଆସିଛି ଏହି ସାଙ୍ଘାତିକ ଅଭିଯୋଗ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ କରାଇବା ପାଇଁ ଆସିଥିବା ଜଣେ ପ୍ରସୂତିକୁ ବହୁ କଷ୍ଟ ସହିବାକୁ ପଡ଼ିଛି । ଚିକିତ୍ସା କରୁଥିବା ଡ଼ାକ୍ତର ଙ୍କ ଅବହେଳା ପାଇଁ ଅସ୍ତ୍ରୋପଚାର ବେଳେ ପ୍ରସୂତିଙ୍କ ପେଟରେ ଗଜ୍ କପଡ଼ା ରହିଯାଇଛି । ଡାକ୍ତରଙ୍କ ବିରୋଧରେ ଏଭଳି ଦାୟିତ୍ୱହୀନତାର ଅଭିଯୋଗ ଆଣିଛନ୍ତି ପୀଡ଼ିତ ପ୍ରସୂତି ।

ପ୍ରସବ ସମୟରେ ଅସ୍ତ୍ରୋପଚାର କରୁଥିବା ଜଣେ ମହିଳା ଡାକ୍ତର ପ୍ରସୂତିଙ୍କ ପେଟରେ ଗଜ୍ କପଡ଼ା ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୨୦୨୧, ଅକ୍ଟୋବର ମାସରେ ପ୍ରସୂତି ଜଣକଙ୍କର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଯାଇଥିଲା । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ୧୫ ଦିନ ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ମହିଳାଙ୍କ ସ୍ୱାମୀ ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ମହିଳା ପେଟରେ କିଛି ସମସ୍ୟା ନଥିବା କହି ମେଡିସିନ୍ ଦେଇ ପଠାଇ ଦେଇଥିଲେ ।
ତେବେ ତିନି ମାସ ପରେ ମହିଳାଙ୍କୁ ପୁଣି ପେଟରେ ଯନ୍ତ୍ରଣା ହୋଇଥିଲା । ଅଲଟ୍ରାସାଉଣ୍ଡରେ ଜଣାପଡ଼ିଥିଲା ଯେ ମହିଳାଙ୍କ ପେଟରେ କିଛି ବସ୍ତୁ ରହିଛି । ବିଶାଖାପାଟଣାରେ ଅସ୍ତ୍ରୋପଚାରରେ ମହିଳାଙ୍କ ପେଟରୁ ଏକ ଗଜ୍ କପଡ଼ା ବାହାରିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ସମୟରେ ଡାକ୍ତରଙ୍କ ଅସାବଧାନତା ଯୋଗୁ ପେଟରେ ଗଜ୍ କପଡ଼ା ରହିଥିବା ନେଇ ମହିଳାଙ୍କ ସ୍ୱାମୀ ଗତ ୧୮ ତାରିଖରେ ଅଭିଯୋଗ କରିଥିଲେ ।

Related Posts