ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଆଜି ଉଭୟ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଅପରାହ୍ଣ ୩ଟାରେ ଯୁକ୍ତ ୨ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦିଆଯାଇଛି।
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନୀହାର ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ଦିନ ସାଢ଼େ ୧୧ଟା ସୁଦ୍ଧା ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ bseodisha.ac.in ୱେବ୍ସାଇଟ୍ରୁ ସେମାନଙ୍କ ମାର୍କ ଓ ଗ୍ରେଡ ଡାଉନଲୋଡ୍ କରିପାରିବେ। ଏଥି ସହିତ ପରୀକ୍ଷାର୍ଥୀମାନେ ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କରି ମଧ୍ୟ ଫଳ ଜାଣିପାରିବେ।
ଏଥି ସହିତ ଚଳିତ ବର୍ଷ ବୋର୍ଡ ପକ୍ଷରୁ ପ୍ରଥମ କରି ପ୍ରଚଳିତ ଡିଜିଟାଲ ପ୍ରମାଣପତ୍ରକୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍ (bseodisha.in)ରୁ ଅପରାହ୍ଣ ୪ଟା ପରଠାରୁ ଡାଉନଲୋଡ୍ କରିପାରିବେ। ସେହିପରି ଖାତା ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ଆସନ୍ତା ମେ’ ୨୯ରୁ ଜୁନ୍ ୧୨ ମଧ୍ୟରେ ଆବେଦନ କରିପାରିବେ।
ଅପରାହ୍ଣ ୩ଟାରେ ଯୁକ୍ତ ୨ ପରୀକ୍ଷାଫଳ
ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ଅର୍ଥାତ୍ ସୋମବାର ୨୬ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ଏଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟ ପରିସରରେ ଫଳାଫଳ ପ୍ରକାଶ କରାଯିବ। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ୱେବ୍ସାଇଟ୍ www.orissaresults.nic.in ରେ ପରୀକ୍ଷାଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ମଧ୍ୟ ସେମାନଙ୍କ ଫଳାଫଳ ଦେଖି ପାରିବେ।