ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଡିସେମ୍ବର ୯ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ସମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ)-୧ ପରୀକ୍ଷାର ଖାତା ଦେଖା ସୋମବାର ଶେଷ ହୋଇଛି । ଏସ୍ଏ-୧ ସହ ସଂସ୍କୃତ ମଧ୍ୟମା ଓ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଖାତା ଦେଖା ମଧ୍ୟ ଶେଷ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସୂତ୍ରରୁ ସୂଚନା ମିଳିଛି।
ତେବେ ସାରା ରଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ହେଉଥିବା ୩ଟି ଯାକ ପରୀକ୍ଷାର ଖାତାଗୁଡ଼ିକୁ ଦୁଇ ଦିନ ମଧ୍ୟରେ ବୋର୍ଡର କ୍ୟାମ୍ପ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ । ଏହାପରେ ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ବୋର୍ଡ କାର୍ଯ୍ୟାଳୟକୁ ଅଣାଯିବ । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରୁ ମୁଖ୍ୟ ପରୀକ୍ଷକଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମାର୍କ ବୋର୍ଡ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ଅପଲୋଡ୍ କରାଯାଇଥିବା ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।
ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଆଧାରରେ ସବଜେକ୍ଟିଭ୍ ପରୀକ୍ଷାର ପ୍ରତି ବିଷୟର ମାର୍କ ଅପଲୋଡ୍ ହୋଇଥିବାରୁ ପରୀକ୍ଷାଫଳ ପ୍ରସ୍ତୁତିରେ ଅଧିକ ସମୟ ନଷ୍ଟ ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସବ୍ଜେକ୍ଟିଭ୍ ମାର୍କ ଏବଂ ଓଏମ୍ଆର୍ର ଉତ୍ତର ସିଟ୍ରୁ ଅବଜେକ୍ଟିଭ୍ ପରୀକ୍ଷା ମାର୍କ ନିଆଯାଇ ଏବେ ପରୀକ୍ଷା ଫଳ ପ୍ରସ୍ତୁତ ଲାଗି ପ୍ରକ୍ରିୟା ଚାଲିବ ।
ସୂଚନାଯୋଗ୍ୟ ଯେ, ମୂଲ୍ୟାୟନ ଲାଗି ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାର ୪୫୦ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା ।





