
ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ମେ’ ୨୮ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ସୂଚନା ଅନୁଯାୟୀ, ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ ପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ମେ’ ୩୦ କିମ୍ବା ୩୧ତାରିଖରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ସେପଟେ ଜୁନ ୮ ସୁଦ୍ଧା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଗତ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍ଲାଇନ୍ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍ଲାଇନ୍ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ୍ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୫ଟି କେନ୍ଦ୍ର ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ଖାତା ଦେଖା ହୋଇଥିଲା। ତାପରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି।