ଭୁବନେଶ୍ୱର,୯/୨ (ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଜାତୀୟ ଉଦ୍ୟାନ ସୁରକ୍ଷା ଦାବିରେ ଭଞ୍ଜସେନା ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲାବ୍ୟାପୀ ହରତାଳ କରାଯାଉଛି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ଧରି ଏହି ହରତାଳ ପାଳିତ ହେଉଛି। ଏହାଫଳରେ ଶିମିଳିପାଳ ବାଟଦେଇ ଯାତାୟତ କରୁଥିବା ଶହଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ଭଞ୍ଜସେନା ପକ୍ଷରୁ ବସ ଓ ଟ୍ରକ୍ ଆଦିକୁ ବନ୍ଦ କରାଯାଉଛି। ଏହାଛଡ଼ା ବାରିପଦା, ବାଙ୍ଗିରିପୋଷୀ ଓ ଠାକୁରମୁଣ୍ଡା ଆଦି ସ୍ଥାନରେ ବି ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟରୁ ବିଭିନ୍ନ ବନ୍ୟଜନ୍ତୁ ଅସୁରକ୍ଷିତ ଥିବା ଭଞ୍ଜସେନା ପକ୍ଷରୁ ଅଭିଯୋଗ ହୋଇଛି। ବ୍ୟାପକ ବନ୍ୟଜନ୍ତୁଙ୍କ ଶିକାର ହେଉଛି। ଏନେଇ ବନ୍ୟ ବିଭାଗ କୌଣସି ଦୃଷ୍ଟି ଦେଉନାହିଁ ବୋଲି ଭଞ୍ଜସେନା ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଫେବ୍ରୁଆରି ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲାଣି। ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଛି। ଲୁଚିଛପି ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ଏହାକୁ ରୋକିବାରେ ବନ ବିଭାଗ ବିଫଳ ହୋଇଛି । ବିଭାଗୀୟ କର୍ମଚାରୀ ସଚେତନତା କାର୍ଯ୍ୟକ୍ରମରେ ମାତିଥିବା ବେଳେ ଏପଟେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍। ପୋଡ଼ୁ ଚାଷ, ଜାଳେଣି କାଠ, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛକଟାକୁ ଲୁଚାଇବା ନିମନ୍ତେ ଅସାମାଜିକ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି। ୨୦୨୦ ମସିହାରେ ଶିମିଳିପାଳ ଅଭୟାରଣ୍ୟର ୮୨୪ଟି ସ୍ଥାନରେ ନିଆଁ ଲାଗିଥିଲା। ୨୦୨୧ରେ ସବୁଠାରୁ ସର୍ବାଧିକ ୪,୪୩୯ଟି ଫାୟର ପଏଣ୍ଟ ଚିହ୍ନଟ ହୋଇଥିଲା। ମାସେ ଯାଏ ଜଳିଥିଲା ଶିମିଳିପାଳ। ଶହଶହ ହେକ୍ଟର ଜଙ୍ଗଲ ଜଳି ଯାଇଥିବା ବେଳେ ଅନେକ ବନ୍ୟଜନ୍ତୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଖବର ୨୦୨୧ରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ମୁଖ୍ୟ ଶିରୋନାମା ପାଲଟିଥିଲା। ତେବେ ବନ ବିଭାଗର ସତର୍କତା ଓ ଲୋକମାନଙ୍କ ସହଯୋଗରୁ ଗତବର୍ଷ ମାତ୍ର ୪୮୯ଟି ସ୍ଥାନରେ ନିଆଁ ଲାଗିଥିଲା।
୨୦୨୧ର ପୁନରାବୃତ୍ତି ଯେମିତି ନହେବ ସେଥିପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର। ଚଳିତ ବର୍ଷ ପ୍ରଥମ ଥର ପାଇଁ ଫାୟାର ପଏଣ୍ଟ ଚିହ୍ନଟ ପାଇଁ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯାଇଛି। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ସ୍ବେଛାସେବୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ନିଆଁ ଲିଭା କାର୍ଯ୍ୟ ପାଇଁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଫାୟାର ପଏଣ୍ଟଗୁଡିକ ନେଇ ଏକ ମ୍ୟାପ ପ୍ରସ୍ତୁତ କରାଯାଇଛି। ପ୍ରଶାସନ, ସ୍ବୟଂ ସହାୟିକା ଗୋଷ୍ଠୀ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କର ସହାୟତାରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ତାଙ୍କ ନେତୃତ୍ବରେ ଏହି ଟିମ୍ ନିୟମିତ କ୍ଷେତ୍ର ପରିଦର୍ଶନ କରୁଛି ବୋଲି କହିଛନ୍ତି ଶ୍ରୀ କୁମାର। ଶିମିଳିପାଳରେ ନିଆଁ ଲଗାଇବାରୁ ନିବୃତ୍ତ ରହିବାକୁ ଚେତାଇ ଦେବାସହ ନିଆଁ ଲଗାଇ ଧରାପଡ଼ିଲେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା କଲେ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏତେସବୁ ପ୍ରସ୍ତୁତି ସତ୍ବେ ଖରାଦିନ ପୂର୍ବରୁ ୫୨ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ତେଣୁ ଆଗକୁ ବନ ବିଭାଗ ଅଧିକ ସତର୍କ ନହେଲେ ମେ, ଜୁନ୍ ମାସ ବେଳକୁ ବନାଗ୍ନି ଅଣାୟତ୍ତ ହୋଇଯିବ ବୋଲି ଚେତାଇ ଦେଇଛନ୍ତି ପରିବେଶବିତ୍।
