ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଶ୍ମୀରୀର ସ୍କୁଲ ଗୁଡିକରେ ଛାତ୍ରୀଛାତ୍ର ମାନେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। ପିଲାମାନେ ସ୍କୁଲରେ ଏହି ଭଜନ ଗାଇବା ବେଳର ଭିଡିଓକୁ ମେହବୁବା ମୁଫ୍‌ତି ଶେୟାର କରିବା ସହ କେନ୍ଦ୍ର ସରକାର କାଶ୍ମୀରରେ ହିନ୍ଦୁତ୍ୱ ଏଜେଣ୍ଡାର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଧର୍ମୀୟ ବିଦ୍ୱାନମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବା, ଜାମା ମସ୍‌ଜିଦ ବନ୍ଦ କରିବା ଏବଂ ସ୍କୁଲ୍‌ ପିଲାଙ୍କୁ ହିନ୍ଦୁ ପ୍ରାର୍ଥନା ଗାଇବା ଲାଗି ନିର୍ଦ୍ଦେଶ ଦେବା କଶ୍ମୀରରେ ବାସ୍ତବ ହିନ୍ଦୁତ୍ୱ ଏଜେଣ୍ଡାର ପ୍ରଚାର ବୋଲି ସ୍ପଷ୍ଟ ହୋଇଯାଇଛି। ତଥାକଥିତ ‘କଶ୍ମୀର ବଦଳୁଛି’ ନାରା ଦେଇ ଉପତ୍ୟକାବାସୀଙ୍କ ଉପରେ ହିନ୍ଦୁତ୍ୱ କାର୍ଯ୍ୟଧାରା ଚାପି ଦିଆଯାଉଥିବା ମେହବୁବା ଅଭିଯୋଗ କରିଛନ୍ତି।