ୠଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ମୁହାଁ ମୁହିଁ ହେଲେ ମେହବୁବା-ରବିଶଙ୍କର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଦ୍ଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ବ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ ୠଷି ସୁନକ। ୠଷିଙ୍କର ଭାରତ ସହ ସମ୍ପର୍କ ଥିବାରୁ ତାଙ୍କୁ ଭାରତରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିଛି।

ଏହିକ୍ରମରେ ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିଜର ପ୍ରତିକ୍ରିୟା ରଖିଛନ୍ତି। ୠଷି ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ତେବେ ଏହା ସହିତ ସେ କେନ୍ଦ୍ର ସରକାରଙ୍କ ସିଏଏ ଏବଂ ଏନଆରସିକୁ ଟାର୍ଗେଟ କରିଛନ୍ତି।

ମେହବୁବା ମୁଫତି ସୋସିଆଲ ମିଡିଆରେ କହିଛନ୍ତି ଯେ, ଏହା ଏକ ଗର୍ବର ମୁହୂର୍ତ୍ତ ଯେ ବ୍ରିଟେନରେ ପ୍ରଥମ ମୂଳ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ। ଯାହାକୁ ସମଗ୍ର ଭାରତରେ ପ୍ରକୃତରେ ଉତ୍ସବ ପାଳନ କରାଯିବା ଉଚିତ। ମନେରଖିବା ଉଚିତ ଯେ ବ୍ରିଟେନ ସଂଖ୍ୟାଲଘୁ ସଦସ୍ୟଙ୍କୁ ଏହାର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିଛି। ଅପରପକ୍ଷରେ ଭାରତରେ ସଂଖ୍ୟାଲଘୁ ମାନେ ସିଏଏ ଓ ଏନଆରସି ପରି ବିଭାଜନକାରୀ ଏବଂ ଭେଦଭାବକାରୀ ନିୟମ ଦ୍ୱାରା ବନ୍ଧା ହୋଇଛନ୍ତିି।

ତେବେ ମେହବୁବାଙ୍କ ଏହି ଟୁଇଟ ନେଇ ପାଟନା ସାହିବ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ କୌଣସି ସଂଖ୍ୟାଲଘୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମେହବୁବା ଗ୍ରହଣ କରିବେ କି ? ଏହାର ଏକ ସ୍ପଷ୍ଟ ଉତ୍ତର ଦେବାକୁ ରବିଶଙ୍କର କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଖ୍ରୀଷ୍ଟଧର୍ମ ବହୁଳ ବ୍ରିଟେନର ପ୍ରଥମ ହିନ୍ଦୁଧର୍ମାବଲମ୍ବୀ ଭାବେ ୠଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି। ସେ ମଧ୍ୟ ବ୍ରିଟେନର ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।

Related Posts