‘ଆମ ସରକାର ସବୁ ସ୍ତରରେ ସ୍ଥିତିର ସୁଧାର ପାଇଁ କାମ କରିବ’; ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାପରେ ୠଷି ସୁନକଙ୍କ ପ୍ରଥମ ଅଭିଭାଷଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିବା ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ୠଷି ସୁନକ। ଏହାପରେ ସେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଶର ପୂର୍ବବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ ଚାହୁଁଥିବା ଭଳି ଏକ ପଦକ୍ଷେପ ନେଇଥିଲେ, ତାହା ଏକ ଭୁଲ ନଥିଲା। କିନ୍ତୁ, ଯାହା ବି ଭୁଲ ରହିଥିଲା ତାହା କୌଣସି ଖରାପ ଉଦ୍ଦେଶ୍ୟରୁ ଜନ୍ମ ନେଇ ନଥିଲା।ତେବେ, ଭୁଲ୍‌ ଯାହା ହେଲେ ବି ଭୁଲ ଅଟେ ବୋଲି କହିଛନ୍ତି ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ।

ଋଷି ସୁନକ ଆହୁରି କହିଛନ୍ତି ଯେ, ମୋ ସରକାର ଏକ ଅର୍ଥନୀତି ପ୍ରସ୍ତୁତ କରିବ ଯାହା ବ୍ରେକ୍ସିଟ୍‌ ସୁଯୋଗର ସର୍ବାଧିକ ଉପଯୋଗ କରିବ। ଏହି ସରକାର ପ୍ରତ୍ୟେକ ସ୍ତରରେ ଅଖଣ୍ଡତା, ବୃତ୍ତିଗତତା ଏବଂ ନିଜର ଉତ୍ତରଦାୟିତ୍ୱ ବିଷୟରେ ସଚେତନ ହେବ। ଏବଂ ଦେଶବାସୀଙ୍କର ବିଶ୍ୱାସ ଅର୍ଜନ କରିବ।

ଭବିଷ୍ୟତରେ ଆମ ଦେଶକୁ ଆଗେଇ ନେବାକୁ, ଦେଶବାସୀଙ୍କ ଆବଶ୍ୟକତାକୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବା ସହ ଏକ ସରକାର ଗଠନ କରିବା ଏବଂ ମୋ ଦଳର ସର୍ବୋତ୍ତମ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ସରକାର ଗଠନ କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ମୁଁ ଏଠାରେ ଆପଣମାନଙ୍କ ଗହଣରେ ଛିଡା ହୋଇଛି। ଆମେ ମିଳିତ ଭାବେ ଅବିଶ୍ୱସନୀୟ ସଫଳତା ହାସଲ କରିପାରିବା ବୋଲି କହିଛନ୍ତି ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ।

ସେ ଆହୁରି କହିଛନ୍ତି ଯେ, ଆମ ଦେଶ କରୋନା ସଙ୍କଟ ପରେ ଏବେ ଗୁରୁତର ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଛି। ଆଉ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ତେଣୁ ଦେଶବାସୀ କଠିନ ନିଷ୍ପତ୍ତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଆମ ସରକାର ସବୁ ସ୍ତରରେ ସ୍ଥିତିର ସୁଧାର ପାଇଁ କାମ କରିବେ। ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିକଟରେ କୃତଜ୍ଞ। ସେ ନିଜର କାର୍ଯ୍ୟକାଳରେ ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛନ୍ତି ବୋଲି ନିଜ ପ୍ରଥମ ଅଭିଭାଷଣରେ ୠଷି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବ୍ରିଟେନର ୨୧୦ ବର୍ଷର ଇତିହାସରେ ଋଷି ସୁନକ ଦେଶର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ରହିବେ। କଞ୍ଜରଭେଟିଭ୍ ପାର୍ଟିର ନେତାଙ୍କୁ ସମ୍ବୋଧିତ କରି ସୁନକ କହିଛନ୍ତି, ପ୍ରଧାନମନ୍ତ୍ରୀ ହୋଇଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଛି। ବ୍ରିଟେନରେ ରହି ଯାହା କିଛି ହାସଲ କରିଛି, ତାକୁ ଫେରାଇବାର ମୋ ପାଇଁ ଏହା ଉପଯୁକ୍ତ ସମୟ ଆସିଛି।ବ୍ରିଟେନ ଅନେକ ଆହ୍ଵାନ ଦେଇ ଗତି କରୁଛି। ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପୂରଣ କରିବାକୁ ପ୍ରୟାସ କରିବୁ ବୋଲି ଋଷି ସୁନକ ନିଜ ଅଭିଭାଷଣରେ କହିଛନ୍ତି।

Related Posts