ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରାଚ୍ୟର ଦେଶମାନେ ଆମେରିକାକୁ ଦେଲେ ଚେତାବନୀ । ଏହାର ସଦ୍ୟତମ ଉଦାହରଣ ହେଉଛି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯୁଦ୍ଧ ଆରମ୍ଭ ପାଇଁ ୱାସିଂଟନକୁ ଦାୟୀ କରିଛି ଏବଂ ଆମେରିକାକୁ ଯୁଦ୍ଧର ଖର୍ଚ୍ଚ ବହନ କରିବାକୁ ଦାବି କରିଛି। ପରିସ୍ଥିତି ଆହୁରି ଖରାପ ହେଲେ ଡଲାରରୁ ୟୁଆନକୁ ସ୍ଥାନାନ୍ତରିତ ହେବା ନେଇ ଚେତାବନୀ ଦେଇଛି।ଏହି ଯୁଦ୍ଧ ୟୁଏଇ ସମେତ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶର ସମ୍ପତ୍ତିକୁ ବିପୁଳ କ୍ଷତି ପହଞ୍ଚାଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବର ଅନୁଯାୟୀ, ୟୁଏଇ ଇରାନ ଯୁଦ୍ଧରେ ହୋଇଥିବା କ୍ଷତି ପାଇଁ ଆମେରିକାଠାରୁ ଆର୍ଥିକ ଗ୍ୟାରେଣ୍ଟି ମାଗିଛି। ଏହି ଦାବି ୱାସିଂଟନ ପାଇଁ ଆର୍ଥିକ ସଙ୍କଟର ଦ୍ୱାର ଖୋଲିପାରେ ବୋଲି କୁହାଯାଉଛି। କାରଣ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ କ୍ଷତିପୂରଣ ପାଇଁ ପଛକୁ ପଛ ଧାଡ଼ିରେ ସାମିଲ ହୋଇପାରନ୍ତି। ସେପଟେ ଏହି ଯୁଦ୍ଧ ଆମେରିକା ପାଇଁ ଏକ ମହଙ୍ଗା ବ୍ୟାପାର ହେବାକୁ ଯାଉଛି। କାରଣ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣରେ ବିପୁଳ ପରିମାଣରେ ଖର୍ଚ୍ଚ ହେବ। ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୨୮ରେ ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ପ୍ରତିଦିନ ୮୯୦ ନିୟୁତ ଡଲାରୁ ୧ ବିଲିୟନ ଡଲାର ଖର୍ଚ୍ଚ କରିଛି। ଇସ୍ରାଏଲ ଏପର୍ଯ୍ୟନ୍ତ ମୋଟ ୧୧.୨ ବିଲିୟନ ଡଲାର ଖର୍ଚ୍ଚ କରିଛି, ଯାହାର ଅଧାରୁ ଅଧିକ ୬.୨ ବିଲିୟନ ଡଲାର କେବଳ ପ୍ରଥମ ୨୦ ଦିନରେ ଖର୍ଚ୍ଚ ହୋଇଛି। ଯୁଦ୍ଧ ପରବର୍ତ୍ତୀ ଖର୍ଚ୍ଚରେ ସାଉଦି ଆରବ ଭଳି ଉପସାଗରୀୟ ଦେଶଗୁଡ଼ିକରେ ବେସାମରିକ ଏବଂ ଶକ୍ତି ଭିତ୍ତିଭୂମି ମରାମତି ଅନ୍ତର୍ଭୁକ୍ତ। ଅନ୍ୟପଟେ ୟୁଏଇ ଅଧିକାରୀମାନେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଆମେରିକା ଆଞ୍ଚଳିକ ସହଯୋଗୀଙ୍କ ସହିତ ପରାମର୍ଶ ନକରି ଏହି ଯୁଦ୍ଧ ଆରମ୍ଭ କରିଥିଲା। ଫଳସ୍ୱରୂପ, ୟୁଏଇ ଯୁଦ୍ଧର ଖର୍ଚ୍ଚ ଆମେରିକା ବହନ କରୁବୋଲି ଚାହୁଛି। ୟୁଏଇର ଏହି ଦାବି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ, କାରଣ ଆମେରିକା ମାର୍ଚ୍ଚ ୩୦ ରେ କହିଥିଲା ଯେ ସେ ଗଲ୍ଫ ଦେଶଗୁଡ଼ିକୁ ଯୁଦ୍ଧ ପାଣ୍ଠି ମାଗିବା ବିଷୟରେ ବିଚାର କରୁଛି। ହ୍ୱାଇଟ୍ ହାଉସର ମୁଖପାତ୍ର କାରୋଲିନ୍ ଲେଭିଟ୍ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୋଜନାରେ ବହୁ ଆଗ୍ରହୀ। ୧୯୯୧ ଗଲ୍ଫ ଯୁଦ୍ଧ ସମୟରେ, ସାଉଦି ଆରବ ଆମେରିକାକୁ ୧୬.୮ ବିଲିୟନ ଡଲାର ଏବଂ କୁଏତ ୧୬ ବିଲିୟନ ଡଲାର ପ୍ରଦାନ କରିଥିଲା। କିନ୍ତୁ ଏବେ ୟୁଏଇ ଓଲଟା ଦାବି କରୁଛି। ୟୁଏଇ ଏବେ ଚାହୁଁଛି ଯେ ଆମେରିକା ଯୁଦ୍ଧର ଖର୍ଚ୍ଚ ବହନ କରୁ। ଯଦି ଆମେରିକା ଯୁଦ୍ଧ ଆରମ୍ଭ କରିଛି, ତେବେ ସେ ଏହାର ଖର୍ଚ୍ଚ ମଧ୍ୟ ବହନ କରିବ। ୟୁଏଇ ଏପରି ସମୟରେ ଏହି ଦାବି କରିଛି ଯେତେବେଳେ ଆମେରିକା ସଂଘର୍ଷରୁ ବାହାରିବାର ରାସ୍ତା ଖୋଜୁଛି।
