(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭାରତରେ କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକଙ୍କ ବଡ ବୟାନ । ଭାରତରୁ କରୋନା ନିକଟ ଭବିଷ୍ୟତରେ ସଂପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ। ସେ କହିଛନ୍ତି ଯେ କୋଭିଡ୍ -୧୯ ମହାମାରୀର ଏଣ୍ଡେମିକ ପର୍ଯ୍ୟାୟରେ ଭାରତ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣରର ସ୍ତରର ସଂକ୍ରମଣ ଜାରି ରହିବ। ସଂପୂର୍ଣ୍ଣ ଭାବେ କରୋନା ଲୋପ ପାଇବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି। ସ୍ୱାମୀନାଥନ କହିଛନ୍ତି ଯେ , ଏଣ୍ଡେମିକ ପର୍ଯ୍ୟାୟ ହେଉଛି ସେହି ପର୍ଯ୍ୟାୟ ଯେତେବେଳେ ଦେଶର ଅଧିକାଂଶ ଲୋକ ଜୀବାଣୁ ସହିତ ବଞ୍ଚିବା ଶିଖି ନିଅନ୍ତି। ଏହା ମହାମାରୀ ପର୍ଯ୍ୟାୟଠାରୁ ଭିନ୍ନ। ଭାଇରସ ଲୋକଙ୍କ ଭିତରେ ସବୁବେଳେ ରହିଥାଏ। ବର୍ତ୍ତମାନ ଭାରତ ସେହି ପର୍ଯ୍ୟାୟରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି ।
ନ୍ୟୁଜ୍ ୱେବସାଇଟ୍ ଦି ୱେୟାରର ସାମ୍ବାଦିକ କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଡା ସ୍ୱାମୀନାଥନ କହିଛନ୍ତି ଯେ , ଭାରତର ଆକାର ତଥା ଦେଶର ବିଭିନ୍ନ ଭାଗର ଜନସଂଖ୍ୟାକୁ ଦେଖିଲେ, କରୋନା ସଂକ୍ରମଣର ଉତ୍ଥାନ ପତନ ଲାଗି ରହିପାରେ। ୨୦୨୨ ଶେଷ ସୁଦ୍ଧା ଦେଶର ୭୦% ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇ ପାରିଥିବ। ଏହାପରେ ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ଥିବା ସେ ଆଶା ପ୍ରକଟ କରିଛନ୍ତି। ଅନ୍ୟ ପକ୍ଷରେ ଛୋଟ ପିଲାମାନଙ୍କ ସଂକ୍ରମଣକୁ ନେଇ ସେ ବାପା ମା’ଙ୍କୁ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, କରୋନା ଜୀବାଣୁ ଛୋଟ ପିଲା ସଂକ୍ରମିତ ହେବାର ଆଶଙ୍କା ରହିଛି। ତେବେ ଏହା ସେମାନଙ୍କୁ ଅଧିକ ଗୁରୁତର କରିବ ନାହିଁ। ତେଣୁ କେହି ବି ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ହୁ’ର ଅନୁମୋଦନ ସମ୍ପର୍କରେ ସେ କହିଛନ୍ତି ଯେ , ସେପ୍ଟେମ୍ବର ମଧ୍ୟ ଭାଗ ସୁଦ୍ଧା ହୁ’ର ଟେକ୍ନିକାଲ ଗ୍ରୁପ୍ କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରନ୍ତି।