୨୦୨୧-୨୨ ଖରିଫ ଫସଲ ପାଇଁ ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ ; ୭୨ ଟଙ୍କା ବଢିଲା ଧାନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ଖରିଫ ଋତୁ ପାଇଁ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ମୁତାବକ , ଧାନର ଏମଏସ୍‌ପି ଗତବର୍ଷ ତୁଳନାରେ ଏବର୍ଷ କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି। ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରି ୧୯୪୦ ଟଙ୍କା କରାଯାଇଛି। ସେହିପରି ‘ଏ’ ଗ୍ରେଡ ଧାନର ମୂଲ୍ୟ ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ଧାନର କ୍ୱିଣ୍ଟାଲ ପିଛା ଦାମ ୧୮୬୮ ଟଙ୍କା ଥିଲା। ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୯୪୦ ଟଙ୍କା ହୋଇଛି। ଧାନ ସଙ୍ଗେ ସଙ୍ଗେ ରାଶି, ବାଜରା ଓ ବିରିର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି। ମକାର ଏମ୍ଏସପି ୧୮୭୦, ହରଡର ମୂଲ୍ୟ ୩୦୦ଟଙ୍କା ବୃଦ୍ଧି କରାଯାଇ ୬୩୦୦ ଟଙ୍କା ସ୍ଥିର କରାଯାଇଛି। ସେହିପରି ରାଶି କ୍ବିଣ୍ଟାଲ ପିଛା ମୂଲ୍ୟ ୩୩୭୭ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଚିନାବାଦାମର କ୍ବିଣ୍ଟାଲ ପିଛା ମୂଲ୍ୟ ୫୫୫୦, ସୂର୍ଯ୍ୟମୁଖୀ ୬୦୧୫ ଟଙ୍କା, ମୁଗ ୭୨୭୫, ବିରି ୬୩୦୦, ବାଜରାର କ୍ବିଣ୍ଟାଲ ପିଛା ମୂଲ୍ୟ ୨୨୫୦ ଟଙ୍କା ସ୍ଥିର କରାଯାଇଛି। ଏହି ୨୦୨୧-୨୨ ଖରିଫ ବିପଣନ ବର୍ଷରୁ ଏହା ଲାଗୁହେବ। ଏମଏସ୍‌ପିକୁ ନେଇ ଆଇନଗତ ମାନ୍ୟତା ଓ ୩ କୃଷି ଆଇନକୁ ଉଚ୍ଛେଦ ଦାବିରେ ଦୀର୍ଘ ମାସ ହେଲାଣି ଶତାଧିକ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏସବୁ ଭିତରେ କେନ୍ଦ୍ର ସରକାର ଧାନ ଓ ଅନ୍ୟାନ୍ୟ ଡାଲି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପି ବୃଦ୍ଧି କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇ କହିଛନ୍ତି, ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଖରିଫ ଫସଲକୁ ଦୃଷ୍ଟିରେ ରଖି ଏମଏସପି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏବଂ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନର ରଦ୍ଦ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବିଷୟରେ ଆଲୋଚନା କରିବାକୁ କେନ୍ଦ୍ର ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

Related Posts