ଆସାମରୁ ଆସିଲା ବିଚଳିତ କଲା ଭଳି ଦୃଶ୍ୟ : ସାହାଯ୍ୟ ପାଇଁ କେହି ନ ଆସିବାରୁ କୋଭିଡ୍ ପଜିଟିଭ୍ ଶ୍ୱଶୁରଙ୍କୁ ପିଠିରେ ବୋହିଲା ବୋହୂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏବେ ସେଭଳି ଏକ ବିଚଳିତ କଲା ଭଳି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭାଇରାଲ ଫଟୋରେ ଦେଖାଯାଉଛି ଯେ କୋଭିଡ ଆକ୍ରାନ୍ତ ନିଜ ଶ୍ୱଶୁରଙ୍କୁ କେହି ସାହାଯ୍ୟ ନକରିବାରୁ ତାଙ୍କୁ ପିଠିରେ ବୋହୂ ହସ୍ପିଟାଲ ନେଉଛନ୍ତି । ଘଟଣା ହେଉଛି ଆସାମର, ତେବେ ନାଗାଓଁର ରାହର। ଗତ ଜୁନ୍ ୨ ତାରିଖରେ ରାହର ଭାଟିଗାଓଁ ଗାଁର ସୁପାରୀ ବିକାଳୀ ଥୁଲେଶ୍ୱର ଦାସ(୭୫)ଙ୍କର କୋଭିଡ -19 ର ଲକ୍ଷଣ ଦେଖା ଦେଇଥିଲା। ଏହା ପରେ ତାଙ୍କ ବୋହୂ ନିହାରିକା ଦାସ(୨୪) ଏକ ଅଟୋ ଭଡା କରି ଥୁଲେଶ୍ୱରଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ନିହାରିକା କହିଛନ୍ତି ଯେ, ” ତାଙ୍କ ଶ୍ବଶୁର ବହୁତ ଦୁର୍ବଳ, ଚାଲିବାର ସାମର୍ଥ୍ୟ ନାହିଁ। ଏବଂ ସ୍ବାମୀ ସିଲିଗୁରିକୁ କାମ କରିବା ପାଇଁ ଯାଇଥିଲେ। ରାସ୍ତା ଖରାପ ହେତୁ ଘର ପାଖକୁ ଅଟୋ ଯାଇପାରି ନଥିଲା। ଆଉ ସାହାଯ୍ୟ କରିବାକୁ କେହି ଆସିନଥିଲେ। ଫଳରେ କିଛି ଉପାୟ ନ ପାଇ ଶେଷରେ ତାଙ୍କ ଶ୍ବଶୁରଙ୍କୁ ପିଠିରେ ବୋହି ଗାଡି ପାଖକୁ ନେଇଥିଲେ। ତେବେ ଦୁର୍ଦ୍ଦଶା ଏତିକିରେ ଅଟକି ନଥିଲେ। ଥୁଲେଶ୍ୱର ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ୨୧ କିଲୋମିଟର ଦୂରରେ ଥିବା ନାଗାଓଁର କୋଭିଡ ଡାକ୍ତରଖାନାକୁ ରେଫର କରି ଥିଲେ । ସେଠାରେ ବି କୌଣସି ଆମ୍ବୁଲାନ୍ସ, କିମ୍ବା ଷ୍ଟ୍ରେଚର ବ୍ୟବସ୍ଥା ନଥିଲା, ତେଣୁ ନିହାରିକା ପୁନର୍ବାର ତାଙ୍କ ଶ୍ବଶୁରଙ୍କୁ ପିଠିରେ ବୋହି ହସ୍ପିଟାଲ ଭିତରକୁ ନେଇଥିଲେ। ପିଠିରେ ବୋହି ନେଉଥିବା ବେଳେ ଲୋକମାନେ ତାଙ୍କୁ ଦେଖୁଥିଲେ ମଧ୍ୟ କେହି ବି ସାହାଯ୍ୟର ହାତ ବଢ଼ାଇ ନଥିଲେ । ନିହାରିକା କହିଛନ୍ତି , “ମୋ ଶ୍ବଶୁର ପ୍ରାୟ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ନେବା ପାଇଁ ମୋତେ ଅନେକ ଶାରୀରିକ ଏବଂ ମାନସିକ ଶକ୍ତି ଲାଗିଥିଲା।” ତାଙ୍କ ଅଜାଣତରେ ସେହି ସମୟରେ କେହି ଜଣେ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଥିଲେ। ଗତ ସପ୍ତାହରୁ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ତେବେ ନାଗାଓଁର କୋଭିଡ ହସ୍ପିଟାଲର ଅଧିକାରୀମାନେ ତାଙ୍କୁ ନାଗାଓଁ ସିଭିଲ ହସ୍ପିଟାଲକୁ ରେଫର କରି ଥିଲେ। ଆଉ ସେଠାରେ ମଧ୍ୟ ସମାନ ଅବସ୍ଥା। ଏପରିକି ନାଗାଓଁ ସିଭିଲ ହସ୍ପିଟାଲରେ ନିହାରିକା ତାଙ୍କ ଶ୍ବଶୁରଙ୍କୁ ପିଠିରେ ବୋହି ପାହାଚ ଚଢି ଯିବାକୁ ପଡିଥିଲା । ନିହାରିକା କହିଛନ୍ତି ଯେ ସେ ତାଙ୍କ ଶ୍ବଶୁରଙ୍କୁ ପାଖାପାଖି ୨ କିଲୋମିଟର ଏଭଳି ପିଠିରେ ବୋହି ନେଇଥିଲି।” ସୋସିଆଲ ମିଡ଼ିଆରେ ତାଙ୍କୁ ଆଦର୍ଶ ବୋହୂ ବୋଲି କହି ତାଙ୍କର ଖୁବ୍ ପ୍ରଶଂସା ହୋଇଥିଲା। ସେତେବେଳେ ପର୍ଯ୍ୟନ୍ତ ତାଙ୍କୁ ଏ ବିଷୟରେ ଜଣା ନଥିଲା। ଯେତେବେଳେ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ତାଙ୍କର ସାକ୍ଷାତକାର ପାଇଁ ତାଙ୍କ ନିକଟକୁ ଆସିଲେ ସେତେବେଳେ ସେ ଭାଇରାଲ ଫଟୋ ବିଷୟରେ ଜାଣିବାକୁ ପାଇଥିଲେ। ନିହାରିକା କହିଛନ୍ତି ଯେ, ” ଏହି ଫଟୋ ମାଧ୍ୟମରେ, ମୁଁ ଏକମାତ୍ର ବାର୍ତ୍ତା ଦେବାକୁ ଚାହୁଁଛି ଯେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ଉଚିତ । ସେ ଆପଣଙ୍କର ପିତାମାତା, ଶାଶୂ ଶ୍ବଶୁର କିମ୍ବା କୌଣସି ଅପରିଚିତ ବ୍ୟକ୍ତି ହୁଅନ୍ତୁ ନା କାହିଁକି। ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆବଶ୍ୟକ । କାରଣ ସେ ତିନିଟି ହସ୍ପିଟାଲ ବୁଲିଲେ କେଉଁଠି ବି ଆମ୍ବୁଲାନ୍ସର ବ୍ଯବସ୍ଥା ହୋଇ ପାରିନଥିଲା। ଥୁଲେଶ୍ୱରଙ୍କ ଅବସ୍ଥା ପୁଣି ଥରେ ବିଗିଡିବାରୁ ତାଙ୍କୁ ଗୌହାଟି ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କରୋନା ସହ ଲଢେଇ କରି ଶେଷରେ ତେବେ ଗତ ସୋମବାର ରାତିରେ ସେ ପ୍ରାଣ ହରାଇଥିଲେ। ତେବେ ମୃତ୍ୟୁ ପୂର୍ବରୁ ଭାଇରାଲ ଫଟୋ ଦେଖି ସେ ତାଙ୍କ ବୋହୂ ନିହାରିକାଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କୁ ବୋହିବା ପାଇଁ ତାଙ୍କର ଏତେ ବଳ କେଉଁଠି ଆସିଲା।

Related Posts