ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି ଯେ, “ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏହା ଏକ ବିରାଟ ସ୍କାମ।” ସେ ଆହୁରି କହିଛନ୍ତି, ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି।ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି। ସରକାରୀ କଳ ଓ ଖଣି ମାଲିକମାନେ ମିଳିମିଶି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇବା ଫଳରେ ଫାଇନ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୪୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୧୦ ଲକ୍ଷ ଟନ୍‌ରେ ୪୧୪ କୋଟି କ୍ଷତି ହୋଇଛି ବୋଲି ସେ କହିଛନ୍ତି। ସେହିପରି ଲମ୍ପ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ ୬୨ କୋଟି ଓ ୧୦ ଲକ୍ଷ ଟନରେ ୬୨୬ କୋଟି ଟଙ୍କା କ୍ଷତି ହୋଇଛି। ନିମ୍ନମାନର ଲୁହାପଥର ଦର୍ଶାଇ ରପ୍ତାନୀ ହେବାରୁ ଏକ୍ସପୋର୍ଟ ଡ୍ୟୁଟି କମିଛି। ନିମ୍ନମାନର ଉତ୍ପାଦନ ଦ୍ୱାରା ବିକ୍ରି ମୂଲ୍ୟ ମଧ୍ୟ କମିଛି ବୋଲି ଭୁବନେଶ୍ୱର ସାଂସଦ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ କମ୍ ପରିମାଣର ନିମ୍ନମାନର ଲୁହାପଥର ବାହାରିଥିଲା, ନିଲାମ ପରେ ୨୦୨୧-୨୨ରେ ସେହିସବୁ ଖଣିରୁ ନିମ୍ନମାନର ଲୁହାପଥର ଅଧିକ ପରିମାଣରେ ବାହାରିଲା। ସେହି ଅନୁସାରେ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ମଧ୍ୟ ହୋଇଥିଲା। ଅପରାଜିତା କହିଛନ୍ତି ଯେ, ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଶନଙ୍କ ରିପୋର୍ଟରୁ ରାଜ୍ୟରେ ୬୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଥିଲା। ରାଜ୍ୟ ସରକାର ଏନେଇ ଅବଗତ ଥିଲେ, ହେଲେ ଶାହା କମିଶନଙ୍କ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ । ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇଥାନ୍ତେ, ରାଜ୍ୟର ରାଜସ୍ୱ ଆହୁରି ବଢ଼ିଥାନ୍ତା ବୋଲି ସେ କହିଛନ୍ତି।

ଅପରାଜିତା ଆହୁରି କହିଛନ୍ତି ଯେ, ଆମ ଓଡ଼ିଶା ଖଣିଜ ପଦାର୍ଥରେ ଭରି ରହିଛି। ସେ ଦୃଷ୍ଟିରୁ ଆମେ ଧନୀ ରାଜ୍ୟ। ହେଲେ ଆମେ ରାଜ୍ୟରେ ଯେଉଁ ଖଣିଜ ପଦାର୍ଥ ଗୁଡ଼ିକ ରହିଛି, ଯଦି ତାହାର ଭଲ ଭାବରେ ପରିଚାଳନା ହେଇଥାନ୍ତା, ଭଷ୍ଟ୍ରାଚାର ହୋଇ ନଥାନ୍ତା। ତାହେଲେ ସବୁ ଖଣି ପଇସା ଆମ ଓଡ଼ିଶା ରାଜ୍ୟର ରାଜକୋଷକୁ ଯାଇଥାନ୍ତା। ଯଦି ରାଜ୍ୟ ସରକାର ଓ ପ୍ରାଇଭେଟ୍ ମାଇନରଙ୍କ ଭିତରେ ଅନୈତିକ ବୁଝାମଣା ହେଇ ନଥାନ୍ତା, ଆମ ଓଡ଼ିଶା ଦେଶରେ ଆର୍ଥିକ ଦୃଷ୍ଟିରୁ ସମ୍ବଳ ରାଜ୍ୟ ଭିତରେ ପରିଗଣିତ ହୋଇଥାନ୍ତା ବୋଲି ଅପରାଜିତା କହିଛନ୍ତି। ତେବେ ଅପରାଜିତାଙ୍କ ଏହି ମନ୍ତବ୍ୟ ଉପରେ ରାଜ୍ୟ ସରକାର କିମ୍ବା ଘରୋଇ ଖଣି ମାଲିକ ସଂଘର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Posts