ସିଏଏ ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରାଳୟ

ଭୁବନେଶ୍ୱର,୧୧/୩(ସତ୍ୟପାଠ ବ୍ୟୁରୋ):  ନାଗରିକତ୍ୱ ସଂଶୋଧନ ଆଇନ ବା CAA ଦୀର୍ଘ ୫ ବର୍ଷ ତଳୁ ଆଇନର ମାନ୍ୟତା ପାଇସାରିବା ପରେ  ଆଜି ଲାଗୁ ହୋଇଛି। ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୃହ ମନ୍ତ୍ରାଳୟ ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। 

 ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ସିଏଏ ଦ୍ଵାରା ନାଗରିକତା ଦେବେ। 

ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। 

କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ ହେବ ବୋଲି କୁହାଯାଇଥିଲା।

କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ।

Related Posts