ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଘଟିଛି ଅଘଟଣ | ଅଙ୍ଗୁର ବୋଝେଇ ଟ୍ରକ୍ ଧକରେ ଚାଲିଯାଇଛି ଜଣେ ବରିଷ୍ଠ ଆଇନଜୀବୀଙ୍କ ଜୀବନ | ଆଜି ସକାଳୁ ସକାଳୁ ଘଟିଛି ଏହି ଘଟଣା | ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜାଳି ଦେଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ନଥିବା ବେଳେ ଧୁଳି ଦ୍ୱାରା ପୁଲିସ ନିଆଁ ଲିଭାଇବାକୁ ଚେଷ୍ଟା କରିଛି। ନିକଟରେ ଡିଜେଲ ଟ୍ୟାଙ୍କର ଥିବାରୁ ବଡ଼ ଦୁର୍ଘଟଣା ଆଶଙ୍କାରେ ପୁଲିସ ସ୍ଥିତି ଉପରେ କଡ଼ା ନଜର କରିଛି।
ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ NHAI ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଘଟଣାସ୍ଥଳକୁ ଆସି ଆଲୋଚ଼ନା ନ କଲା ଯାଏ, ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନି | ଆନ୍ଦୋଳନ କୁ ନେଇ ଉଭୟ ପାର୍ଶ୍ୱରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି |
