ସମ୍ବଲପୁର: ସମ୍ବଲପୁର ସହରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ପ୍ରବାସୀ ଶ୍ରମିକଙ୍କୁ ନିର୍ଧୂମ ମାଡ଼ ମାରିଥିବାବେଳେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ରବିବାର ସ୍ଥାନୀୟ ବଡ଼ବଜାର ଅଞ୍ଚଳରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ। ସେପଟେ ହୀରାକୁଦରେ ଠିକାକାମକୁ ନେଇ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ୩ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ସେମାନେ ଏତେ ଭୟଭୀତ ଅଛନ୍ତି ଯେ ଏତଲା ମଧ୍ୟ ଦେଇନାହାନ୍ତି। ତେବେ ଏନେଇ ହୀରାକୁଦ ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ କହିଛନ୍ତି, ଠିକା କାର୍ଯ୍ୟକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସୂଚନା ଅନୁଯାୟୀ, କିଛିମାସ ହେଲା କେରଳର ବିଷ୍ଣୁ କୈସ ବରଗଡ଼ ଜିଲ୍ଲାର ଏକ ୱେଲ୍‌ଡିଂ ଗ୍ୟାରେଜ୍‌ରେ କାମ କରୁଥିଲେ। ନିକଟରେ ସେ ସମ୍ବଲପୁରକୁ କାମ ସନ୍ଧାନରେ ଆସିଥିଲେ। ରବିବାର ସକାଳେ ସେ ଧୋବାପଡ଼ାସ୍ଥିତ ପାର୍କ ପାଖରେ ବୁଲୁଥିଲେ। ତାଙ୍କ କହିବା ଶୈଳୀକୁ ସନ୍ଦେହ କରି ସ୍ଥାନୀୟ ଯୁବକମାନେ ତାଙ୍କ ଘର କେଉଁଠି ବୋଲି ପଚାରିବାରୁ ବିଷ୍ଣୁ ଓଡ଼ିଆ କିମ୍ବା ସମ୍ବଲପୁରୀ ଭାଷା ବୁଝି ପାରି ନଥିଲେ। କଥାରେ ତାଳମେଳ ନ ରହିବାରୁ ଯୁବକମାନେ ତାଙ୍କୁ ପିଲାଚୋର ସନ୍ଦେହରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ଘୋଷାଡ଼ି ନେଉଥିବା ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି। ଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଷ୍ଣୁଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ବରଗଡ଼ରେ ରହୁଥିବା ତାଙ୍କ ବନ୍ଧୁଙ୍କ ସହିତ କଥା କରାଇବା ପରେ ବିଷ୍ଣୁଙ୍କ ବିଷୟରେ ବିସ୍ତୃତ ତଥ୍ୟ ମିଳିଛି। ତେବେ ବିଷ୍ଣୁଙ୍କୁ ପ୍ରବଳ ମାଡ଼ ମରାଯାଇଥିବାବେଳେ ତାଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେ କେରଳର ହୋଇଥିବାରୁ ଏବଂ ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ଏଭଳି ଘଟଣା ଘଟିଛି ବୋଲି ପୋଲିସ କହିଛି। ଅପରପକ୍ଷରେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ବିଷ୍ଣୁଙ୍କୁ ପୋଲିସ ରାତିରେ ଟ୍ରେନ୍‌ ଯୋଗେ ତାଙ୍କ ନିଜ ଗ୍ରାମ ଘର ଆଲେପିକୁ ପଠାଇ ଦେଇଥିବା ସୂଚନା ମିଳିଛି l