ଆରମ୍ଭ ହେଲା ମିଶନ ୨୦୨୪, କେବଳ ଦୁଇ ସପ୍ତାହ ମଧ୍ୟରେ ଶରଦ ପାୱାର ଦ୍ଵିତୀୟ ଥର ପାଇଁ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଆୟତ୍ତ ହେବାରେ ଲାଗିଛି । ଏପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ୨୦୨୪ରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଏନସିପି ନେତା ଶରଦ ପାୱାର ଗତ ଦୁଇ ସପ୍ତାହ ମଧ୍ୟରେ ପୋଲ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସହିତ ଲଢେଇ କରିବା ପାଇଁ ଏବେ ଠାରୁ ମିଶନ ୨୦୨୪ ଶରଦ ପାୱାର ଆରମ୍ଭ କରିଥିବା ସୂଚନା ମିଳିଛି । ଅପରିପକ୍ଷେ ଜୁନ 11 ତାରିଖରେ ଶରଦ ପାୱାରଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦୁହେଁ ପ୍ରଥମଥର ସାକ୍ଷାତ କରିଥିଲେ । କିନ୍ତୁ ଆଜିର ବୈଠକଟି ଦିଲ୍ଲୀରେ ହେଉଥିବାର ସୂଚନା ମିଳିଛି । ତେବେ ଏହି ବୈଠକଟି ପୂର୍ବ ବୈଠକ ଠାରୁ ଅଧିକ ସମୟ ଧରି ଚାଲିଥିଲା । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ତିନି ଘଣ୍ଟା ଧରି ଏହି ବୈଠକଟି ଚାଲିଥିଲା । ସେମାନଙ୍କ ଏହି ବୈଠକରେ 2024 ନିର୍ବାଚନ ସହ ଜଡିତ ବିଷବସ୍ତୁକୁ ନେଇ ଆଲୋଚନା କରୁଥିବାର କଥା ସାମ୍ନାକୁ ଆସିଛି । ବିରୋଧୀ ଦଳ ମାନଙ୍କ ସହିତ ମିଶି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିପରି ଚ୍ୟାଲେଞ୍ଜ କରାଯିବ, ସେ ବିଷୟରେ ଆଲୋଚନା କରାଯାଉଥିବାର ଖବର ସାମ୍ନାକୁ ଆସିଛି । ସବୁଠାରୁ ରୋଚକ କଥାଟି ହେଉଛି ଅନେକ ଦଳ ଏଭଳି ଗୋଷ୍ଠୀରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ ଏକ କଷ୍ଟଦାୟକ ଚ୍ୟାଲେଞ୍ଜର ମୁକାବିଲା ପରେ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ଜିତିଥିବା ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା ଯେ ସେ ନିଜକୁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖୁଛନ୍ତି କି? ଏହାର ଜବାବ ରଖି ମମତା କହିଥିଲେ, ମୁଁ ଭାବୁଛି ସମସ୍ତେ ଏକାଠି ମିଶି 2024 ନିର୍ବାଚନ ପାଇଁ ଯୁଦ୍ଧ କରିପାରିବା। କିନ୍ତୁ ବର୍ତ୍ତମାନ ଚାଲ ପ୍ରଥମେ କୋଭିଡ ସହ ଲଢ଼ିବା । ଏପରି କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବହୁ ଚର୍ଚ୍ଚାରେ ରହିଥିଲେ ।

Related Posts