ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଘଟଣା। ଓଡିଶା ପୋଲିସ ପାଖରୁ ନ୍ୟାୟ ଆଶା କରି ନିରାଶ ହେବା ପରେ ଜାତୀୟ ମାନବାଧିକାରଙ୍କ ଦ୍ବାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ। ସୋମାଲିକା ଦାଶଙ୍କ ପକ୍ଷରୁ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ ମାମଲା ଦାୟର କରିଛନ୍ତି ।

ସେ କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହ ର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ବାନ୍ଧବୀ ସୋମାଲିକା ବିବାହ ପାଇଁ ଜିଦ ଧରିବାରୁ ବିଧାୟକ ତାଙ୍କୁ ପ୍ରତାରଣା କରିଥିଲେ। ଫଳରେ ସେ ଜଗତସିଂହପୁର ଥାନା ରେ ଅଭିଯୋଗ କରିଥିଲେ। ଜଗତସିଂହପୁର ପୋଲିସ ପ୍ରଥମେ ଏହି ମାମଲା ରୁଜୁ କରି ନଥିଲା। ଯାହାକୁ ନେଇ ସେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ କରୁଥିଲେ ମଧ୍ୟ ବିଧାୟକ ଙ୍କ ସମର୍ଥକ ମାନେ ପୀଡ଼ିତା ସୋମାଲିକାଙ୍କୁ ଫୋନରେ ଧମକ ଦେବା ସହ ଏହି ଘଟଣାରେ ରଫାଦଫା କରିବାକୁ ଚାପ ପ୍ରୟୋଗ କରୁଛନ୍ତି ।

ଯାହାକୁ ନେଇ ସୋମାଲିକା ଥାନାରେ ଏତଲା ଦେଇଛନ୍ତି। ଏପରିକି ଜୀବନରୁ ମାରି ଦେବାକୁ ପୀଡ଼ିତାଙ୍କୁ ଧମକ ଦିଆଯାଉଛି। ଏହି ଘଟଣାର ଅଡିଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଅଭିଯୋଗକାରୀ ସୁବ୍ରତ ଦାଶ କହିଛନ୍ତି। ଜଣେ ଶାସକ ଦଳର ବିଧାୟକଙ୍କ ଏହି ଯୌନ କେଳେଙ୍କାରୀ ଘଟଣାର ଯେଉଁ ପୀଡ଼ିତା ପଦାକୁ ଆଣୁଛନ୍ତି ତାଙ୍କୁ ଚାପ ପ୍ରୟୋଗ କରାଯାଇ ତାଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଛି। ଯାହା ଠିକ ନୁହେଁ। ରାଜ୍ୟରେ ଲୋକେ କିଭଳି ନ୍ୟାୟ ପାଉଛନ୍ତି ଏହି ଘଟଣା ରୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ସୁବ୍ରତ କହିଛନ୍ତି।

ଏହି ଘଟଣା ନେଇକୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। କମିଶନ 3231/in/2023 ରେ ମାମଲା ରୁଜୁ କରିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କମିଶନ ଗୁରୁତର ସହ ନେଇଥିବା ଅଭିଯୋଗ କାରୀ ସୁବ୍ରତ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଘଟଣାରେ ନିରପେକ୍ଷ ତଦନ୍ତ ହେବା ସହ ପୀଡ଼ିତା ସୋମାଲିକାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।