ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ଜନ୍ମଦିନକୁ ଦଳୀୟ ନେତାମାନେ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି । ତେବେ ରାଜ ଠାକରେଙ୍କ ଜନ୍ମଦିନ ଅବସରରେ ଔରଙ୍ଗାବାଦରେ ଲିଟର ପିଛା ୫୪ ଟଙ୍କାରେ ପେଟ୍ରୋଲ ବାଣ୍ଟିଲେ ଏମଏନଏସ କର୍ମୀ । ଆଉ ଯେଉଁ ବଳକା ରାଶି ରହିଲା ତାହାକୁ ଏମଏନଏସ ପକ୍ଷରୁ ସ୍ଥାନୀୟ ପମ୍ପ ମାଲିକଙ୍କୁ ପୈଠ କରାଯାଇଛି । ସେପଟେ ଶସ୍ତା ପେଟ୍ରୋଲ ପାଇବା ଖବର ସାରା ସହରରେ ଖୁବଶୀଘ୍ର ବ୍ୟାପି ଯାଇଥିଲା । ଏହା ପରେ ଦେଖୁ ଦେଖୁ କ୍ରାନ୍ତି ଛକ ପେଟ୍ରୋଲ ପମ୍ପ ନିକଟରେ ପ୍ରାୟ ଏକ କିଲୋମିଟର ଲମ୍ବା ଲାଇନ ଲାଗିଯାଇଥିଲା । ତେବେ ଦଳ ପକ୍ଷରୁ କେବଳ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପେଟ୍ରୋଲ ଯୋଗାଇଦିଆଯାଇଥିଲା ।

ଭିଡ଼ ନହେବା ପାଇଁ ନାଗରିକମାନଙ୍କୁ କୁପନ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହାର ସୁବିଧା ଉଠାଇଛନ୍ତି ବୋଲି ଏମଏନଏସ ଔରଙ୍ଗାବାଦର ଅଧ୍ୟକ୍ଷ ସୁମିତ ଖମ୍ବେକର କହିଛନ୍ତି । ତେବେ ଲିଟର ପିଛା ୫୪ ଟଙ୍କା ପେଟ୍ରୋଲ ଦେବାର ଦୁଇଟି ଉଦ୍ଦେଶ୍ୟ ରହିଛି । ପ୍ରଥମ ଦଳର ମୁଖ୍ୟଙ୍କ ଜନ୍ମଦିନ ଅବସରରେ ଔରଙ୍ଗାବାଦର ବାସିନ୍ଦାଙ୍କୁ ଏକ ଛୋଟ ଉପହାର ଦେବା ଏବଂ ଦ୍ୱିତୀୟଟି ହେଉଛି ଇନ୍ଧନର ମୂଲ୍ୟ ଆକାଶଛୁଆଁ ହେବା ପ୍ରସଙ୍ଗକୁ ସାମ୍ନାକୁ ଆଣିବା । ଯଦିଓ କେନ୍ଦ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିଛି । ତଥାପି ରାଜ୍ୟ ସରକାର ଏହାକୁ ଅନୁସରଣ କରିନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।