ଆଇସିସି ଦିନିକିଆ ବୋଲିଂ ରାଙ୍କିଂର ଶୀର୍ଷରେ ମହମ୍ମଦ ସିରାଜ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ କ୍ରିକେଟର ଦଳର ଯୁବ ପେସ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲିଂ ରାଙ୍କିଂରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତ । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ଯୋଗୁ ବିଶ୍ୱର ଏକ ନମ୍ବର ବୋଲର ହୋଇ ପାରିଛନ୍ତି । ଅଷ୍ଟ୍ରେଲିଆର ଜୋସ ହାଜେଲଉଡଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି ।

ସିରାଜ ୭୨୯ ର‌୍ୟାଙ୍କିଙ୍ଗ ପଂଏଟ ହାସଲ କରିଥିବା ବେଳେ ତାଙ୍କ ପଛକୁ ଅଷ୍ଟ୍ରେଲିଆର ହାଜେଲଉଡ ୭୨୭ ପଂଏଟରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଆଫଗାନିସ୍ତାନର ରଶିଦ ଖାଁ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ବାଂଲାଦେଶର ଶକିବ ଉଲ ହାସନ, ପାକିସ୍ତାନର ଶାହୀନ ଆଫ୍ରିଦୀ, ବାଂଲାଦେଶର ମୁସ୍ତାଫିଜୁର ରେହମାନ ଓ ଆଫଗାନିସ୍ତାନ ରେହମାନ ଯଥାକ୍ରମେ ତୃତୀୟରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ସିରାଜ ୪ଟି ଏବଂ ଶ୍ରୀଲଙ୍କା ବିରୋଧରେ ୯ଟି ୱିକେଟ ଅକ୍ତିଆର କରିଥିଲେ । କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ପଂଏଟ ହାସଲ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ସେହିଭଳି ବ୍ୟାଟିଂ ରାଙ୍କିଂରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମୋଟ ୩୬୦ ରନ କରିଥିବା ଶୁବମାନ ଗିଲ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ରହିଛନ୍ତି । ସେହିଭଳି ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୭ମ ରେ ଥିବାବେଳେ ରୋହିତ ଶର୍ମା ୯ମ ସ୍ଥାନକୁ ଉଠିଛନ୍ତି । ପାକିସ୍ତାନର ବାବର ଆଜମ ୮୮୭ ପଏଣ୍ଟ ସହିତ ଦିନିକିଆ ରାଙ୍କିଂ ଶୀର୍ଷରେ ରହିଛନ୍ତି ।

Related Posts