ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଟ୍ରୋଲ-ଡିଜେଲ ବ୍ୟବହାର ନେଇ ଆଜି ଆସିପାରେ ବଡ଼ ନିଷ୍ପତ୍ତି । ସଙ୍କେତ ଦେଲେ ମୁଖ୍ୟ ଶାସନ ସଚିବ । ତେବେ ଦେଶବାସୀଙ୍କୁ ଇନ୍ଧନ ବ୍ୟବହାର କମାଇବା, ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବା ଓ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ | ଏଭଳି ସ୍ଥିତିରେ ବିଜେପି ଶାସିତ ରାଜ୍ୟ ସରକାର ମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ବାଗତ କରି ତାଙ୍କ କାରକେଡରେ ଯାଉଥିବା ଗାଡିସଂଖ୍ୟା ଅଧା କରିଦେଇଥିଲେ । କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ ସୁନା ନକିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହା ମଧ୍ୟରେ ପେଟ୍ରୋଲ-ଡିଜେଲ ବ୍ୟବହାର ନେଇ ଆଜି ଆସିପାରେ ବଡ଼ ନିଷ୍ପତ୍ତି । ସରକାରୀ ସ୍ତରରେ କିଛି ବଡ଼ ନିଷ୍ପତ୍ତି ମୋହନ ସରକାର ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଲେ ସଙ୍କେତ । ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ମୁଖ୍ୟମନ୍ତ୍ରୀ କାରକେଡ୍କୁ ଅଧା କରିଛନ୍ତି । ଆଜି ମଧ୍ୟ ସରକାରୀ ସ୍ତରରେ କିଛି ନିଷ୍ପତ୍ତି ହେବ । ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଜାରି ହୋଇପାରେ । ସରକାରୀ ଗାଡ଼ି ପାଇଁ ବି କିଛି କଟକଣା ଆସିପାରେ । ପବ୍ଲିକ୍ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ ।
