ଜି-୨୦ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ

ନୂଆଦିଲ୍ଲୀ: ଜି-୨୦ ବୈଠକର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ। ଡିସେମ୍ବର ୧ରେ ଭାରତ ଆନୁଷ୍ଠାନିକ ଭାବେ ଏହାର ଦାୟିତ୍ବ ଗ୍ରହଣ କରିବ । ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ପ୍ରମୁଖ ଫୋରମ୍‌। ଏବଂ ଆସନ୍ତା ୨୦୨୩ ସେପ୍ଟେମ୍ବରରେ ଜି-୨୦ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀ ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବ ବୋଲି ଜାଣିବାକୁ ମିଳିଛି।

ଆସନ୍ତା ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜି-୨୦ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ। ୨୦୧୬ରେ ଶିଖର ସମ୍ମିଳନୀ ଆୟୋଜନ କରିବା ସମୟରେ ଚୀନରେ ଅନୁଷ୍ଠିତ ମୋଟ ବୈଠକ ସଂଖ୍ୟାଠାରୁ ଏହା ଅଧିକ।

ଏହି ଶିଖର ସମ୍ମିଳନୀରେ ‘ନିଖୁଣ ଏବଂ ଅନନ୍ୟ ଭାରତୀୟ’ ପରିଚୟ ରହିବ ଏବଂ ବ୍ରାଣ୍ଡ ଇଣ୍ଡିଆକୁ ଏଥିରେ ଯୋଗ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଡିସେମ୍ବର ୧ ପାଇଁ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମରେ ୧୦୦ ସ୍ମାରକୀକୁ ନେଇ ଆଲୋକର ଏକ ସ୍ୱତନ୍ତ୍ର ସମାରୋହ ଅନ୍ତର୍ଭୁକ୍ତ ହେବ ଏବଂ ଏଥିସହ ଏକ ସ୍ୱତନ୍ତ୍ର ଅଡିଓ-ଭିଡିଓ କ୍ଲିପ୍‌ ଉନ୍ମୋଚିତ ହେବ। ଏହି ଅବସରରେ ଜି-୨୦ ଲୋଗୋ ସହିତ ସେଲଫି ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ। ଜି-୨୦ ଲୋଗୋ ଚିତ୍ରଣ କରିବା ପାଇଁ ପୁରୀର ବାଲୁକା ଶିଳ୍ପୀମାନଙ୍କୁ ନିୟୋଜିତ କରାଯିବ।

ଜି-୨୦ ବିଷୟରେ ଛାତ୍ରମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୭୫ଟି କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ଜି-୨୦ ସମ୍ମିଳନୀ ନେଇ ଆୟୋଜିିତ ହେବାକୁ ଥିବା ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ।

Related Posts