
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଭାରତରେ କରୋନାର ଦ୍ୱିତୀୟ ଲହରରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ,” ଦେଶରେ କୋଭିଡର ଦ୍ୱିତୀୟ ଲହରର ଚତୁର୍ଥ ସପ୍ତାହରେ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ଅଥଚ କେନ୍ଦ୍ର ସରକାର ଉତ୍ତରଦାୟୀତ୍ଵ ନେବାକୁ ନାରାଜ।” ଏହା ପୂର୍ବରୁ ସେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇବା ସହ କହିଛନ୍ତି, “ଚିକିତ୍ସା ଅଭାବରୁ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ମୋର ସମବେଦନା। ଆପଣ ଏହି ଦୁଃଖଦ ଘଟଣାରେ ଏକୁଟିଆ ନୁହଁନ୍ତି – ଦେଶର ପ୍ରତ୍ୟେକ ରାଜ୍ୟର ନାଗରିକଙ୍କ ପ୍ରାର୍ଥନା ଓ ସମବେଦନା ଆପଣଙ୍କ ସହ ଅଛି। ଯଦି ଆମେ ଏକାଠି ରହିବା ତେବେ ଏକ ଆଶା ଉଜ୍ଜୀବିତ ହେବ ” କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଭାରତ ଗତ 24 ଘଣ୍ଟା ମଧ୍ୟରେ 3,86,452 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଏପର୍ଯ୍ୟନ୍ତ ସର୍ବାଧିକ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,87,62,976 ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ 31 ଲକ୍ଷ ଅତିକ୍ରମ କରିଛି। ଏବଂ ମୃତ୍ୟୁ ସଂଖ୍ୟା 2,08,330 କୁ ବୃଦ୍ଧି ପାଇଛି।