ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଖଣି ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କଲେ ମୋରମ୍ ମାଫିଆ । ଗାଡ଼ିର କାଚ ଭାଙ୍ଗିବା ସହ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଦେଲେ ଧମକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରାରେ । ତେବେ କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯିବା ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ।
ଅଧିକାରୀ ନିଜକୁ ବଞ୍ଚାଇବାକୁ ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ। ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ। ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
