
ନୂଆଦିଲ୍ଳୀ: ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ମନ୍ଦିର ତିରୁମାଳା ଭେଙ୍କଟେଶ୍ବରର ଟ୍ରଷ୍ଟ୍ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)କୁ ଦେଢ଼ କୋଟି ଟଙ୍କା ଦାନ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ପରଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ | ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମା ରେଡ୍ଡିଙ୍କୁ ତିରୁମାଲାର ରଙ୍ଗନୟାକୁଲା ମଣ୍ଡପରେ ଦେଢ଼ କୋଟି ଟଙ୍କାର ଡିମାଣ୍ଡ୍ ଡ୍ରାଫ୍ଟ(ଡିଡି) ପ୍ରଦାନ କରିଛନ୍ତି।
ଅମ୍ବାନୀ ପ୍ରଥମେ ତିରୁପତି ମନ୍ଦିରରେ ଭେଙ୍କଟେଶ୍ବରଙ୍କୁ ପ୍ରାର୍ଥନା କରି ପରେ ଡିଡି ପ୍ରଦାନ କରିଥିଲେ ଓ ଶେଷରେ ଏସ୍ଭି ଗୋଶାଳା ବୁଲି ଦେଖିଥିଲେ। ଅମ୍ବାନୀ ମନ୍ଦିର ପରିଦର୍ଶନ କରିବା ସମୟରେ ସେଠାରେ ସାଂସଦ ଗୁରୁମୂର୍ତ୍ତି, ବିଜୟସାଇ ରେଡ୍ଡିଙ୍କ ସମେତ ଚନ୍ଦ୍ରଗିରି ବିଧାୟକ ଭାସ୍କର ରେଡ୍ଡି ଆଦି ଉପସ୍ଥିତ ଥିଲେ।
ଗଣମାଧ୍ୟମରେ ନିଜର ମତ ରଖି ଅମ୍ବାନୀ କହିଛନ୍ତି, ‘ମୁଁ ଭେଙ୍କଟେଶ୍ବରଙ୍କ ଦର୍ଶନ କରି ଖୁବ୍ ଆନନ୍ଦ ଅନୁଭବ କରୁଛି। ଭେଙ୍କଟେଶ୍ବର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।’
ଆଗାମୀ ୨୭ ତାରିଖରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶ୍ରୀଭରି ବ୍ରହ୍ମୋତ୍ସବମ୍ ପୂର୍ବରୁ ଅମ୍ବାନୀ ଏହି ଦାନ କରିଛନ୍ତି।