ଉପ-ନିର୍ବାଚନରେ ବିଜେପି ଜିତିବ କହି ସଙ୍ଗେ ସଙ୍ଗେ ସ୍ୱର ପରିବର୍ତ୍ତନ କଲେ ମୁକୁଲ ରୟ

mukul roy

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୃଷ୍ଣନଗର ଉତ୍ତର ବିଧାନସଭା ଆସନରୁ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀଙ୍କ ଦଳରେ ମିଶିଥିଲେ ମୁକଲ ରୟ । ଯଦିଓ ମୁକୁଲ ବିଜେପି ଛାଡ଼ିଛନ୍ତି, କିନ୍ତୁ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେବେ ବର୍ତ୍ତମାନ ମୁକୁଲ ରୟ ଭାରତୀୟ ଜନତାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ଜିତିବ । ଏହା ସହ ତ୍ରିପୁରାରେ ମଧ୍ୟ ବିଜେପି ଜିତିବ ବୋଲି ମୁକୁଲ ରୟ କହିଛନ୍ତି । ଏସବୁ ମୁକୁଲ ରୟ ତୃଣମୂଳ କଂଗ୍ରେସ ଅଫିସରେ ଗଣମାଧ୍ୟମକୁ କହିଥିଲେ ।

ମୁକୁଲଙ୍କ ମୁହଁରୁ ହଠାତ ଏପରି କିଛି ଶୁଣିବା ପରେ ଟିଏମସି କର୍ମକତ୍ତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ମୁକୁଲ ସଙ୍ଗେ ସଙ୍ଗେ ନିଜର ମନ୍ତବ୍ୟକୁ ପରିବର୍ତ୍ତନ କରି ଉପନିର୍ବାଚନରେ ଟିଏମସି ଜିତିବ ଏବଂ ବିଜେପି ପରାଜୟ ବରଣ କରିବ ବୋଲି କହିଥିଲେ । ଏହା ସହ ମା ମାଟି ମାନୁଷ ଦଳ ଟିଏମସି ରାଜ୍ୟରେ ଉପନିର୍ବାଚନ ଜିତିବା ସହିତ ତ୍ରିପୁରାରେ ମଧ୍ୟ ବିଜୟୀ ହେବ ବୋଲି ମୁକୁଲ ରୟ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ଏହାର ପ୍ରତିକ୍ରିୟା ରଖି ବିଜେପି ମୁକୁଲଙ୍କ ଏପରି ମନ୍ତବ୍ୟକୁ ସ୍ୱାଗତ କରିବା ସହ ସେ ଜାଣିଶୁଣି ସବୁ ସତ କଥା କହିଛନ୍ତି ବୋଲି ଭାରତୀୟ ଜନତା ପାର୍ଟି କହିଛି ।

ଅନ୍ୟପଟେ ମୁକୁଲ ରୟ ଆରମ୍ଭରୁ ଟିଏମସି ସହ ଜଡିତ ଥିଲେ । କିନ୍ତୁ 2019 ଲୋକସଭା ନିର୍ବାଚନ ପୂର୍ବରୁ ସେ ମମତା ବାନାର୍ଜୀଙ୍କ ସହ ମତଭେଦ ପରେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ରେ ବେଙ୍ଗଲରେ ବିଜେପିର ବିଜୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେବେ ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୃଷ୍ଣନଗର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଜିତିବା ପରେ ସେ ଖୁବ ଶୀଘ୍ର ଟିଏମସି ପକ୍ଷକୁ ଫେରିଥିଲେ। ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି, ଯାହାକୁ ନେଇ ବିବାଦ ଚାଲିଛି।ଏସବୁକୁ ବିଜେପି ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ କଠୋର ନିନ୍ଦା କରିବା ସହ କୃଷ୍ଣନଗର ଉତ୍ତର ବିଧାନସଭାର ଭୋଟରଙ୍କ ପ୍ରତି ମୁକୁଲ ବିଶ୍ୱାସଘାତ କରିଛନ୍ତି ବୋଲି କହିଥିଲେ ।

Related Posts